ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଉଡ ସ୍ପିକରକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏମଏନଏସ ମୁଖ୍ୟ ରାଜ ଠାକରେ ଏନେଇ ବାରମ୍ବାର ଶାସକ ଶିବସେନାକୁ ଟାର୍ଗେଟ କରି ଆସୁଛନ୍ତି । ଏହା ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏମଏନଏସ ମୁଖ୍ୟଙ୍କୁ ପାଲଟା ଜବାବ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଶାଲ ଘୋଡେଇ ହୋଇ ଜଣେ ମୁନ୍ନା ଭାଇ ନିଜକୁ ବାଲ ଠାକରେ ବୋଲି ଭାବୁଛନ୍ତି ବୋଲି ଉଦ୍ଧବ କହିଛନ୍ତି । ସେପଟେ ମୁମ୍ବାଇର ବିଜେସି ପଡ଼ିଆରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ଉଦ୍ଧବ ଠାକରେ ରାଜ ଠାକରେଙ୍କୁ ଟାର୍ଗେଟ କରିଥିଲେ । ସେ ବଲିଉଡ ଫିଲ୍ମ ଲଗେ ରହୋ ମୁନ୍ନା ଭାଇ ଅଭିନେତା ସଞ୍ଜୟ ଦତ୍ତଙ୍କ ଚରିତ୍ରର ଉଦାହରଣ ଦେଇ କହିଥିଲେ ଫିଲ୍ମରେ ଅଭିନେତାଙ୍କୁ ମହାତ୍ମା ଗାନ୍ଧୀଙ୍କ ଛବି ନଜର ଆସୁଥିଲା ।
ମୁନ୍ନା ଭାଇ ଭାବୁଥିଲେ ସେ ମହାତ୍ମା ଗାନ୍ଧୀଙ୍କ ସହ କଥା ହେଉଛନ୍ତି । ହେଲେ ଫିଲ୍ମର ଶେଷରେ ଜଣାପଡ଼ିଲା ଯେ ଏହା ମୁନ୍ନା ଭାଇଙ୍କ ଗଡବଡ଼ ମାମଲା ଅଟେ । ଆମର ଏଠି ବି କେତେଜଣ ମୁନ୍ନା ଭାଇ ଅଛନ୍ତି ଯେଉଁମାନେ ଘୁରି ବୁଲଛନ୍ତି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ରାଜ ଠାକରେଙ୍କ ନାମ ନନେଇ ଉଦ୍ଧବ କହିଥିଲେ ଯେ ଆମ ନିକଟରେ ବି ଏମିତି ଜଣେ ମୁନ୍ନା ଭାଇ ଅଛନ୍ତି ଯିଏ ନିଜକୁ ବାଲ ଠାକରେ ବୋଲି ଭାବୁଛନ୍ତି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
