
ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ରାଉତ ବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଝିଅ ପାଇଁ ଏବେ ହରଡ଼ଘଣାରେ ପଡ଼ିଛି ମା’ । ମା’ଙ୍କ ଉପରେ ବିଭାଗୀୟ ଛାଟ ବାଜିବା ସହ ମଗାଯାଇଛି କାରଣ ଦର୍ଶାଓ ନୋଟିସ ।
ପ୍ରଧାନଶିକ୍ଷୟତ୍ରୀ ପ୍ରାୟ ୧୫ ଦିନ ହେବ ସ୍କୁଲ ଯାଉ ନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ସ୍କୁଲ ଯାଇ ପାଠ ପଢ଼ାଉଛନ୍ତି ଝିଅ । ଶିକ୍ଷା ବିଭାଗର ଏପରି ବିଚିତ୍ର ବ୍ୟବସ୍ଥା ଚିତ୍ର ଏବେ ସାମ୍ନାକୁ ଆସିଛି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳ ଅସୁସ୍ଥତା ହେତୁ ପ୍ରାୟ ୧୫ ଦିନ ହେବ ବିଦ୍ୟାଳୟ ଯାଉନାହାନ୍ତି। ତାଙ୍କ ସ୍ଥାନରେ ତାଙ୍କ ଝିଅ ସୀମାରେଖା ମହାନ୍ତି ନିୟମିତ ମା’ଙ୍କ ପାଇଁ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଏ ସମ୍ପର୍କରେ କଥା ପ୍ରଘଟ ହେବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହେଲା । ଏନେଇ ବିଇଓଙ୍କ ରିପୋର୍ଟ ତାଙ୍କ ପାଖରେ ଥିବା କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀଙ୍କ ଝିଅ। ତେବେ ଏହାକୁ ସେ ଦେଖାଇ ପାରି ନାହାନ୍ତି।
ବିନା ଅନୁମତିରେ କ୍ଲାସ୍ରେ ପାଠ ପଢ଼ାଉଛନ୍ତି ଯୁବତୀ ।
ଏନେଇ ରାଜକନିକା ବିଇଓ ସରୋଜକାନ୍ତ ବିହାରୀ କହିଛନ୍ତି, ଗଣମାଧ୍ୟମରୁ ଏ ସଂକ୍ରାନ୍ତରେ ଖବର ପାଇ ଗତକାଲି ଉକ୍ତ ସ୍କୁଲକୁ ଯାଇଥିଲି। ସେଠାରେ ଘଟଣାର ତଦନ୍ତ କଲି। ପ୍ରଧାନଶିକ୍ଷୟିତ୍ରୀଙ୍କ ଝିଅ ଗୋଟିଏ ଦିନ ପାଇଁ ସ୍କୁଲକୁ ଆସିଥିବା କହିଥିଲେ। ଏନେଇ ଡିଇଓଙ୍କୁ ରିପୋର୍ଟ ଦେବି । ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ତେବେ ଅସୁସ୍ଥତା ହେତୁ ପ୍ରଧାନଶିକ୍ଷୟିତ୍ରୀଜଣକ ଛୁଟିରେ ଥିବା ବେଳେ ଏନେଇ ଛୁଟି ଆବେଦନ କରିଛନ୍ତି କି ନାହିଁ ତାହା ଜଣାନାହିଁ। ଯଦି ସେ ଛୁଟି ଦରଖାସ୍ତ ଦେଇ ନାହାନ୍ତି, ତେବେ ୧୫ ଦିନ ହେଲା କିପରି ଘରେ ଅଛନ୍ତି। ଏହାବାଦ ଯଦି ଉପରିସ୍ଥ ଅଧିକାରୀଙ୍କୁ ଛୁଟି ଦରଖାସ୍ତ ଦେଇଛନ୍ତି ତା’ ହେଲେ ତାଙ୍କ ଝିଅ କାହିଁକି ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସ୍କୁଲ ପରିସରରେ ପଶିବାକୁ ତାଙ୍କୁ କିଏ ଅନୁମତି ଦେଲା, ଏ ନେଇ ଅନ୍ୟ ଶିକ୍ଷକ କ’ଣ ପାଇଁ ବିଭାଗକୁ ଅବଗତ କଲେନି ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।