କିଛିଦିନ ପରେ କଂଗ୍ରେସରେ କେବଳ ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ହିଁ ରହିବେ: କେଶବ ପ୍ରସାଦ ମୌର୍ଯ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫା ପତ୍ରରେ ନିଜର କ୍ଷୋଭ ପ୍ରକାଶ କରିବା ସହିତ ଆଜାଦ୍ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି ।ଏହାପରେ କଂଗ୍ରେସର ନେତା ମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏସବୁ ଭିତରେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କିଛି ଦିନ ପରେ କେବଳ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିଁ କଂଗ୍ରେସରେ ରହିବେ। ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ବହୁ ନେତା କଂଗ୍ରେସ ଛାଡିଛନ୍ତି। ଅଗାମୀ ଦିନରେ ମଧ୍ୟ ଏଭଳି ଧାରା ଜାରି ରହିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କେଶବ କହିଛନ୍ତି। କଂଗ୍ରେସ ଦଳର ନିୟନ୍ତ୍ରଣ ଯେ ପର୍ଯ୍ୟନ୍ତ ଗାନ୍ଧୀ ପରିବାର ହାତରେ ଥିବ ସେ ପର୍ଯ୍ୟନ୍ତ କଂଗ୍ରେସ ଆଗକୁ ବଢି ପାରିବ ନାହିଁ ବରଂ ଅଧିକ ରୁ ଅଧିକ ତଳକୁ ଖସିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ଗୁଲାମ ନବୀ ଆଜାଦ କଂଗ୍ରେସର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି ।ସେ ଜମ୍ମୁ-କଶ୍ମୀରରେ କଂଗ୍ରେସର ମୁଖ୍ୟ ଚେହେରା ଥିଲେ। ଶୁକ୍ରବାର କଂଗ୍ରେସର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦବୀରୁ ସେ ଇସ୍ତଫା ଦେଇଛନ୍ତି। ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ସେ ତାଙ୍କ ଆଚରଣକୁ ପିଲାଳିଆମି ବୋଲି କହିଛନ୍ତି।ଗୁଲାମନବୀ ଅଭିଯୋଗ କରିଛନ୍ତି ଯେ ରାହୁଲ ବରିଷ୍ଠ ନେତାଙ୍କ ସହ ପରାମର୍ଶ କରନ୍ତି ନାହିଁ ଏବଂ ଦଳର ଅଧିକାଂଶ ନିଷ୍ପତ୍ତି ବ୍ୟକ୍ତିଗତ ସଚିବ ହିଁ ନେଇଥାନ୍ତି।

Related Posts