୩୬ ଲକ୍ଷ ଟଙ୍କା ମେଧାବୃତ୍ତି ଦୁର୍ନୀତିରେ ବନ୍ଧା ହେଲେ ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଅଧିକାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମେଧାବୃତ୍ତି ଦୁର୍ନୀତିରେ ବନ୍ଧା ହେଲେ ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଅଧିକାରୀ। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (EOW) ତାଙ୍କୁ ଗୁରୁବାର ଦିନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ୩୬ ଲକ୍ଷ ଟଙ୍କା ସ୍କଲାରସିପ୍ ସ୍କାମରେ ଗିରଫ କରିଛି। ଅଭିଯୁକ୍ତ ପ୍ରକାଶ ଚନ୍ଦ୍ର ରଥ ୨୦୧୪-୧୫ ରେ ଉଚ୍ଚଶିକ୍ଷା ବିଭାଗର ସଚିବ ଥିବା ସମୟରେ ଇ-ମେଧାବୃତି ଯୋଜନା ଅଧୀନରେ ବେଆଇନ ଭାବରେ ଅନେକ ଅନୁପଯୁକ୍ତ ଓ ଅଯୋଗ୍ୟ ଛାତ୍ରଙ୍କୁ ମେଧାବୃତ୍ତି ଟଙ୍କା ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗର ଛାତ୍ରବୃତ୍ତି ବିଭାଗର ଦାୟିତ୍ୱରେ ଥିବା ରଥ ୨୦୧୬ ମସିହାରେ ସରକାରୀ ସେବାରୁ ଅବସର ନେଇଥିଲେ।

୩୧ ଅକ୍ଟୋବର ୨୦୧୭ ଉଚ୍ଚଶିକ୍ଷା ବିଭାଗର ଅଭିଯୋଗ ଆଧାରରେ ଅର୍ଥନୈତିକ ଅପରାଧ ଶାଖା ଶ୍ରୀ ରଥଙ୍କ ବିରୋଧରେ ମାମଲା କରିଥିଲା। ୨୦୧୪-୧୫ ମସିହାରେ ବହୁ ଅଯୋଗ୍ୟ ଛାତ୍ରଙ୍କୁ ଇ-ମେଧାବୃତ୍ତି (ଛାତ୍ରବୃତ୍ତି) ପ୍ରଦାନରେ ବ୍ୟାପକ ଆର୍ଥିକ ଅନିୟମିତତା ବିଷୟରେ ବିଭାଗ ଜାଣିବାକୁ ପାଇଥିଲା। ସରକାରୀ ଖର୍ଚ୍ଚରେ ବ୍ୟାପକ କ୍ଷତି ଘଟିଥିଲା। EOW ଅଧିକାରୀ କହିଛନ୍ତି ଯେ “ଅନୁସନ୍ଧାନ ବେଳେ ଆମେ ଜାଣିବାକୁ ପାଇଲୁ ଯେ ପ୍ରକାଶ ଚନ୍ଦ୍ର ରଥ ଅନ୍ୟ କେତେକ ବ୍ୟକ୍ତିଙ୍କ ସହ ମିଶି ଷଡଯନ୍ତ୍ର କରିଥିଲେ ଏବଂ ୨୩୫ ଅଯୋଗ୍ୟ ଛାତ୍ର ବାବଦରେ ୩୬ ଲକ୍ଷ ୧୦ ହଜାରରୁ ଅଧିକ ଟଙ୍କା ସ୍କଲାରସିପ୍‌ ବାବଦକୁ ଅନୁମୋଦନ କରିଥିଲେ। ଯାହା ନିୟମ ବିରୋଧ ହୋଇଥିବା ତଦନ୍ତ ପରେ ସାମ୍ନାକୁ ଆସିଛି।

 ବର୍ତ୍ତମାନ ମାନଦଣ୍ଡ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିବା ଜରୁରୀ। ସଂପୃକ୍ତ କଲେଜଗୁଡ଼ିକ ଆବେଦନକାରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରି ଛାତ୍ରବୃତ୍ତି ଅନୁଦାନ ପାଇଁ ସରକାରଙ୍କୁ ଆବେଦନ ପଠାଇବାକୁ ପଡିଥାଏ। ପ୍ରକାଶ ରଥଙ୍କର ଦାୟିତ୍ବ ଥିଲା ଯେ ଛାତ୍ରବୃତ୍ତି ମଞ୍ଜୁର ପାଇଁ ଆର୍ଥିକ ପରାମର୍ଶଦାତାଙ୍କ ନିକଟରେ ଆବେଦନ କରିବା । ତେବେ ତଦନ୍ତ ସମୟରେ EOW ଜାଣିବାକୁ ପାଇଛି ଯେ ସଂପୃକ୍ତ କଲେଜଗୁଡ଼ିକରୁ କୌଣସି ଆବେଦନ ନପାଇ ଏବଂ ଆର୍ଥିକ ପରାମର୍ଶଦାତାଙ୍କ ବିନା ଅନୁମତିରେ ରଥ ଛାତ୍ରବୃତ୍ତି ମଞ୍ଜୁର କରିଛନ୍ତି। 

ଜଣେ EOW ଅଧିକାରୀ କହିଛନ୍ତି “ଆମେ ସନ୍ଦେହ କରୁଛୁ ଯେ ସେ ନିଜର ବ୍ୟକ୍ତିଗତ ଲାଭ ପାଇଁ ଏହି ଜାଲିଆତି କରିଛନ୍ତି ଏବଂ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କମିଶନ ନେଇଥାଇ ପାରନ୍ତି।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେତେକ ଛାତ୍ରବୃତ୍ତି ପାଇଥିବା କିଛି ବେଆଇନ ହିତାଧିକାରୀ ଓଡିଶାର ନୁହଁନ୍ତି।  ଉଚ୍ଚଶିକ୍ଷା ବିଭାଗର କିଛି କର୍ମଚାରୀଙ୍କ ସମେତ ଅନ୍ୟମାନଙ୍କ ସନ୍ଦେହଜନକ ସମ୍ପୃକ୍ତି ଯାଞ୍ଚ କରାଯାଉଛି ବୋଲି ଅଧିକାରୀ କହିଛନ୍ତି।

 ଇ-ମେଧାବୃତି ଯୋଜନା ଅନୁଯାୟୀ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷ ପାଇଁ ବାର୍ଷିକ ୩୦୦୦ ଟଙ୍କା ଛାତ୍ରବୃତ୍ତି ପାଇପାରିବେ, ଯୁକ୍ତ ତିନି ଛାତ୍ରଛାତ୍ରୀ ତିନି ବର୍ଷ ପାଇଁ ବାର୍ଷିକ ୫୦୦୦ ଟଙ୍କା ଏବଂ ଜଣେ ପିଜି ଛାତ୍ର ଦୁଇ ବର୍ଷ ପାଇଁ ବାର୍ଷିକ ୧୦,୦୦୦ ଟଙ୍କା ପାଇବାର ପ୍ରାବଧାନ ରହିଛି। ଏହା ବ୍ୟତୀତ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପଢିବାକୁ ଚାହୁଁଥିବା ଛାତ୍ରମାନଙ୍କୁ ସରକାର ବାର୍ଷିକ ୧୦ ହଜାର ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି।  ନିୟମ ଅନୁଯାୟୀ, ଆବେଦନକାରୀଙ୍କ ପିତାମାତାଙ୍କ ଆୟ ବାର୍ଷିକ ୬ ଲକ୍ଷରୁ ଅଧିକ ହେବ ନାହିଁ।

Related Posts