କୁକୁର ଛୁଆକୁ ରକ୍ଷା କରିବାକୁ ଯାଇ ନଅ ମହଲାରୁ ଖସି ପ୍ରାଣ ହରାଇଲେ ସପ୍ତମ ଶ୍ରେଣୀର ଝିଅ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୁକୁର ଛୁଆକୁ ଉଦ୍ଧାର କରିବାକୁ ଯାଇ ନଅ ମହଲାରୁ ଖସି ପ୍ରାଣ ହରାଇଲେ ୧୨ ବର୍ଷିୟ ଝିଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ। ବାଲକୋନୀରେ ଫସି ରହିଥିବା ଗୋଟିଏ କୁକୁର ଛୁଆକୁ ଉଦ୍ଧାର କରିବାକୁ ଯାଇ ଜଣେ ୧୨ ବର୍ଷୀୟ ଝିଅଟି ନଅ ମହଲାରୁ ସିଧା ତଳକୁ ଖସି ପଡ଼ିଛନ୍ତି। ଘକଣା ସ୍ଥଳରେ ଝିଅଟିର ଜୀବନ ଚାଲି ଯାଇଛି। ଏହା ସଙ୍ଗେ ସଙ୍ଗେ ସେ ବଞ୍ଚାଇବାକୁ ଯାଇଥିବା କୁକୁର ଛୁଆଟି ମଧ୍ୟ ତଳକୁ ଖସି ପ୍ରାଣ ହରାଇଛି।

ଏହି ଝିଅଟିର ନାଁ ହେଉଛି ଜୋତ୍ସ୍ନା, ସେ ୭ମ ଶ୍ରେଣୀ ପାଠ ପଢିଥିଲା। ତେବେ ନିଜର ପୋଷା କୁକୁର ଛୁଆ ସହ ଘରର ବାଲକୋନୀରେ ଖେଳୁଥିଲେ। ଆଉ ଠିକ୍ ଏହି ସମୟରେ କୁକୁର ଛୁଆଟି ତାଙ୍କ ହାତରୁ ଖସି ପଡ଼ି ବାଲକୋନୀରେ ଲାଗିଥିବା ଜାଲ୍‌ରେ ଫସି ଯାଇଥିଲା। 

ତେବେ ଜାଲରୁ କୁକୁର ଛୁଆଟିକୁ ରକ୍ଷା କରିବାକୁ ଯାଉଥିବା ସମୟରେ ହଠାତ୍‌ ଜୋତ୍ସ୍ନା ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ସେ କୁକୁଆ ଛୁଆଟି ସହ ନଅ ମହଲାରୁ ସିଧା ତଳକୁ ଖସି ପଡ଼ିଥିଲେ।

ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗାଜିଆବାଦର ଗୌର ହୋମ୍ସ ହାଉସିଂ ସୋସାଇଟିରେ ବୁଧବାର ମଧ୍ୟାହ୍ନ ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଝିଅର ଖସି ପଡ଼ିବାର ଶବ୍ଦ ଶୁଣି ତାଙ୍କ ମା’ କିରଣ ତୁରନ୍ତ ତଳକୁ ଦୌଡ଼ି ଆସିଥିଲେ। କିନ୍ତୁ ସେତେବେଳକୁ ଝିଅ ଏବଂ ପୋଷା କୁକୁର ଛୁଆ ଦୁହେଁ ପ୍ରାଣ ହରାଇସାରିଥିଲେ। ଏପଟେ ପୁଲିସ୍‌ ଶବ ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ଘଟଣା ବେଳେ ଘରେ କେବଳ ଜୋତ୍ସ୍ନାଙ୍କ ମା’ ରହିଥିଲେ।

Related Posts