କୋଟିଆରେ ଆନ୍ଧ୍ରର ବଦମାସୀକୁ ଚେକ୍ ଦେବାପାଇଁ ବିକାଶ ଉପରେ ଗୁରୁତ୍ବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଟିଆ ଅଞ୍ଚଳ ହେଉଛି ଓଡ଼ିଶାର। ଏବଂ ସେଠାକାର ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବାକୁ ବିକାଶ ମୂଳକ କାମ ହାତକୁ ନେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାନସଭା ଗୃହ କମିଟି। ଉନ୍ନୟନ ମୂଳକ କାର୍ଯ୍ୟ କେମିତି ଚାଲିଛି ତା’ ଉପରେ ଧ୍ୟାନ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ବିଧାନସଭା ଗୃହ କମିଟି।

ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଗୃହ କମିଟି ବୈଠକରେ ଆନ୍ତଃରାଜ୍ୟ ସୀମା ବିବାଦ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ଏହି ବୈଠକରେ ବିଶେଷ କରି କୋଟିଆ ଅଞ୍ଚଳରେ ଆନ୍ଧ୍ରର ଦାଦାଗିରିକୁ ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କାରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜକୁ ନେଇ ଲାଗି ରହିଥିବା ସମସ୍ୟା ସଂପର୍କରେରେ ଚର୍ଚ୍ଚା ହୋଇଛି ।

ଏହି ବୈଠକରେ କୋରାପୁଟ ଜିଲ୍ଲାପାଳ ଗୃହ କମିଟିକୁ ଅବଗତ କରାଇଥିଲେ ଯେ , ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟକ୍ରମ ଏହି ଗ୍ରାମଗୁଡ଼ିକରେ କରାଯାଇଛି। ରାସ୍ତାଘାଟ ସାଙ୍ଗକୁ ସ୍ୱାସ୍ଥ୍ୟସେବା, ବିଜୁଳି, ପାନୀୟ ଜଳଯୋଗାଣ ସହ ଲୋକମାନଙ୍କୁ ରାସନ୍‌ କାର୍ଡ ବଣ୍ଟନ କରାଯାଇଛି। ସରକାରୀ ଅଧିକାରୀମାନେ ନିୟମିତ ଭାବେ ଗ୍ରାମବାସୀଙ୍କ ସହ ଯୋଗାଯୋଗରେ ଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି। 

ବିଧାନସଭାର ଗୃହ କମିଟି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅମର ଶତପଥୀ ଯୋଗ ଦେଇଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦିବ୍ୟଶଙ୍କର ମିଶ୍ର, ବିଧାୟକ ଭୂପିନ୍ଦର ସିଂ, ମୋହନ ଚରଣ ମାଝୀ, ଡ. ନୃସିଂହ ଚରଣ ସାହୁ, ନାଉରୀ ନାଏକ, କେ. ନାରାୟଣ ରାଓ ପ୍ରମୁଖ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଯୋଗ ଦେଇଥିଲେ। 

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି. ଆଓ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଗୃହ କମିଟି ବୈଠକରେ ଉପସ୍ଥିତ ଥିଲେ ।

Related Posts