କାବୁଲ ଏୟାରପୋର୍ଟରେ ଦୟନୀୟ ସ୍ଥିତି : ପାଣି ବୋତଲର ଦାମ୍ ୩ ହଜାର ସାଢେ ସାତ ହଜାର ଟଙ୍କାରେ ମିଳୁଛି ଗୋଟିଏ ପ୍ଲେଟ ଖାଦ୍ୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନ ଭୟ ଦିନକୁ ଦିନ ଭୟାବହ ରୂପ ନେଉଛି। ଲୋକେ ଦେଶ ଛାଡି ଚାଲିଯିବାକୁ କାବୁଲ ବିମାନବନ୍ଦରରେ ଭିଡ ଜମାଉଛନ୍ତି । ଆଉ ଲୋକଙ୍କ ଏହି ଭିଡ ଭିତରେ କାବୁଲ ବିମାନବନ୍ଦରରେ ପାଣି ଓ ଖାଇବା ଥାଳି ରେଟ୍ ଏବେ ଆକାଶ ଛୁଆଁ । ରିପୋର୍ଟ ଅନୁଯାୟୀ କାବୁଲ ବିମାନବନ୍ଦରରେ ଗୋଟିଏ ପାଣି ବୋତଲର ମୂଲ୍ୟ ପ୍ରାୟ ୪୦ ଆମେରିକୀୟ ଡଲାର , ଭାରତୀୟ ମୁଦ୍ରାରେ ଏହି ଦର ପ୍ରାୟ ୩ ହଜାର ଟଙ୍କା । ସେହିପରି ଗୋଟିଏ ପ୍ଲେଟ ଖାଇବା ଥାଳିର ଭାରତୀୟ ମୁଦ୍ରାରେ ସାଢେ ୭ ହଜାର ଟଙ୍କା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି କାବୁଲ ବିମାନବନ୍ଦର ଏବେ ବି ଆମେରିକା ସେନାର କବଜାରେ ରହିଛି । ଆମେରିକା ସେନା ଅଧିନରେ କାବୁଲ ଏୟାରପୋର୍ଟ ଥିବା କାରଣରୁ ପାଣି ବୋତଲ ଏବଂ ଖାଇବା ପ୍ଲେଟ କିଣିଲେ ଆମେରିକୀୟ ଡଲାରରେ ହିଁ ପୈଠ କରିବାକୁ ପଡୁଛି । ତେବେ ଖାଦ୍ୟ ଓ ପାଣି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଅହେତୁକ ମହଙ୍ଗା ହେବା କାରଣରୁ ଲୋକେ ଭୋକିଲା ଶୋଇବାକୁ ପଡୁଛି ।

ଭୟରେ ଦେଶଛାଡି ଚାଲିଯିବାକୁ ଆସୁଥିବା ଲୋକମାନେ ବିମାନବନ୍ଦରରେ ଅପେକ୍ଷା କରି ରହିଥିବା ଲୋକେ ପ୍ରବଳ ଖରାରେ ପିଇବାକୁ ପାଣି ମିଳୁନଥିବାରୁ ବେହୋସ ହୋଉପଡୁଥିବା ଦେଖୁବାକୁ ମିଳୁଛି । 

ତେବେ ଏଭଳି ଏକ ସଂକଟ ପରିସ୍ଥିତିରେ ନାଟୋ ସେନା କିଛି ଲୋକଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦେଉଥିବାର ଦେଖିବାକୁ ମିଳୁଛି । ଏମିତିକି ଛୋଟ ଛୋଟ ପିଲା ଓ ମହିଳା ମାନଙ୍କୁ ଆମେରିକା ଓ ନାଟୋ ସେନା ପାଣି ବୋତଲ ବାଣ୍ଟୁଥିବାର ଚିତ୍ର ସାମ୍ନାକୁ ଆସୁଛି । 

ଏଭଳି ସଙ୍କଟ ସମୟରେ ଦେଶଛାଡି ଚାଲିଯିବାକୁ ଚାହୁଁଥିବା ଆଫଗାନ ଲୋକ ଆମେରିକା ସେନାକୁ ସଲାମ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଗତ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଥିବା ଆମେରିକା ଏଭଳି ଏକ ସେନା ପ୍ରସ୍ତୁତ କରିପାରିଲା ନାହିଁ ଯିଏ ତାଲିବାନୀଙ୍କ ମୁକାବିଲା କରିପାରିବ । ଏବେ ତାଲିବାନୀ ଆତଙ୍କବାଦୀଙ୍କ ଆଗରେ ଆମେରିକା ସେନା ଫେଲ୍ ମାରିଛି। ଏବେ ତାଲିବାନୀଙ୍କ ଭୟରେ ଲୋକେ ଦେଶଛାଡି ଚାଲି ଯାଉଛନ୍ତି । ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ଆମେରିକା ୭୫ ହଜାର ୯୦୦ ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରି ଅନ୍ୟାନ୍ୟ ଦେଶକୁ ପଠାଇଛି । ଗତ ୧୦ ଦିନ ଭିତରେ କେବଳ ୭୦ ହଜାର ଲୋକଙ୍କୁ ଏୟାରଲିଫ୍ଟ କରିଥିବା କୁହାଯାଉଛି ।

Related Posts