(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଓଡ଼ିଶାର ସାଂସଦ ଓ ବିଧାୟକମାନଙ୍କ ନାମରେ ୩୬୨ଟି ମାମଲା ଅଦାଲତରେ ବିଚାର ଅପେକ୍ଷାରେ ପଡ଼ି ରହିଛି। ଏ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ୍‌। ହାଇକୋର୍ଟ ଦାଖଲ କରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ବିଚାର ଅପେକ୍ଷାରେ ପଡ଼ି ରହିଥିବା ମାମଲାଗୁଡ଼ିକ ମଧ୍ୟରୁ ପ୍ରାୟ ୧୭୮ଟି ମାମଲାରେ ବାଦୀ-ପ୍ରତିବାଦୀ ଅଦାଲତରେ ହାଜର ହେବା ଆବଶ୍ୟକ ହେଉଛି। ଜିଲ୍ଲାୱାରି ରିପୋର୍ଟ ଉପସ୍ଥାପନ କରି କୁହାଯାଇଛି ଯେ, ଅନଗୁଳ ‘ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଫାଷ୍ଟ୍‌ କ୍ଲାସ୍‌’ଙ୍କ (ଜେଏମ୍‌ଏଫ୍‌ସି) ପାଖରେ ୩୧ଟି ମାମଲା ପଡ଼ି ରହିଥିବା ବେଳେ ୧୬ଟି ମାମଲାରେ ହାଜିରା ଆବଶ୍ୟକ କରୁଛି। ସେହିଭଳି ଭୁବନେଶ୍ବରର ‘ଥାର୍ଡ ଆଡିସ୍‌ନାଲ୍‌ ସେସନ୍‌ ଜଜ୍‌’ଙ୍କ ପାଖରେ ୩୭ଟି ମାମଲାରୁ ୭ଟି ମାମଲା ହାଜିରା ଆବଶ୍ୟକ ରହିଛି ଏବଂ ୩ଟି ମାମଲା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

ଭୁବନେଶ୍ବର ‘ଜେଏମ୍‌ଏଫ୍‌ସି’ ସ୍ପେସାଲ୍‌ କୋର୍ଟରେ ବିଚାରଧୀନ ୨୦୦ ମାମଲା ମଧ୍ୟରୁ ଅର୍ଦ୍ଧେକ ବାଦୀ-ପ୍ରତିବାଦୀ ଅଦାଲତରେ ହାଜର ହେବା ଅବସ୍ଥାରେ ରହିଛି ଏବଂ ୩୧ଟି ମାମଲା ବିଚାର ଚାଲିବା ସ୍ଥିତିରେ ରହିଛି। ୨୦୨୧ ଜୁନ୍‌ ୭, ତାରିଖରେ ସ୍ବତନ୍ତ୍ର ବିଚାର ବିଭାଗୀୟ ଅଧିକାରୀ ନିଯୁକ୍ତ ହୋଇଥିଲେ ମଧ୍ୟ ଗୋଟିଏ ମାତ୍ର ମାମଲାର ଫଏସଲା ହୋଇନଥିବା ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲ୍‌ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। 

ସେହିପରି ସମ୍ବଲପୁର ‘ଜେଏମ୍‌ଏଫ୍‌ସ’ଙ୍କ ନିକଟରେ ୪୭ଟି ମାମଲା ପଡିରହିଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ମାମଲାରେ ବାଦୀ-ପ୍ରତିବାଦୀ ହାଜର ହେବା ଆବଶ୍ୟକ ପଡୁଛି।  ସମ୍ବଲପୁର ‘ଜେଏମ୍‌ଏଫ୍‌ସ’ ମଧ୍ୟ ୨୦୧୯ରେ ଜଣେ ବିଚାର ବିଭାଗୀୟ ଅଧିକାରୀ ନିଯୁକ୍ତ କରାଯାଇଥିଲା କିନ୍ତୁ, ସେବେଠାରୁ ଗୋଟିଏ ହେଲେ ମାମଲାର ସମାଧାନ ହୋଇପାରିନାହିଁ।

ସୂଚନାଯୋଗ୍ୟ ଯେ ନିକଟରେ ‘ଆମିକସ୍‌ କ୍ୟୁରି’ ବିଜୟ ହଂସାରିଆ ସୁପ୍ରିମ୍‌ କୋର୍ଟଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ ସାଂସଦ ଓ ବିଧାୟକମାନଙ୍କ ନାମରେ ଥିବା ମାମଲାଗୁଡ଼ିକ ବିଚାର ତ୍ବରାନ୍ବିତ କରିବା ଆବଶ୍ୟକ । ସେ ଲେଖିଛନ୍ତି, ଦୀର୍ଘ ସମୟ ଧରି ପଡ଼ିରହିଥିବା ଏହି ମାମଲାଗୁଡ଼ିକ ଫଏସଲା ନ ହେବା ସଂକ୍ରାନ୍ତରେ ହାଇକୋର୍ଟ ସମ୍ପୃକ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ ଜବାବ ତଲବ କରି ପାରିବେ। ଏତଦ୍ ବ୍ୟତୀତ ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ଦୁଇ ମାସ ମଧ୍ୟରେ ଫଏସଲା କରିବା ଲାଗି ହାଇକୋର୍ଟଙ୍କୁ ମଧ୍ୟ ଅନୁରୋଧ କରାଯିବାର ସମ୍ଭାବନା ରହିଛି। 

ରିପୋର୍ଟରେ ଉଲ୍ଲେଖ ରହିଛି ଯେ , ହାଜର ହେବା କିମ୍ବା ସମନ ଜାରି ହେବା ଅବସ୍ଥାରେ ଥିବା ମାମଲାଗୁଡ଼ିକ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ହାଜର କରାଇବାକୁ ନ୍ୟାୟାଳୟ ନିର୍ଦେଶ ଦେଇ ପାରିବେ। ଅଭିଯୁକ୍ତ ଯଦି ଦୁଇ ସପ୍ତାହ ମଧ୍ୟରେ ସ୍ବତନ୍ତ୍ର ଅଦାଲତରେ ହାଜର ନ ହୁଅନ୍ତି, ଏବଂ ଯଦି ତାଙ୍କୁ ଜାମିନ ଦିଆଯାଇଥାଏ ତେବେ ଜାମିନ ଆପେ ଆପେ ରଦ୍ଦ ହୋଇଯିବ। ଫଳରେ ଅଭିଯୁକ୍ତଙ୍କୁ ହାଜତକୁ ନିଆଯାଇ ପାରିବ।