ମହିଳାମାନଙ୍କ ପାଇଁ ନର୍କ ପାଲଟିଛି ଆଫଗାନିସ୍ତାନ : ଘର ଘର ବୁଲି ଝିଅ ମାନଙ୍କୁ ଖୋଜୁଛନ୍ତି ତାଲିବାନୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପୂର୍ବ ଅନୁମାନ ମୁତାବକ ଦିନକୁ ଦିନ ଅଧିକରୁ ଅଧିକ ବର୍ବର ହେଉଛନ୍ତି ତାଲିବାନି। କାବୁଲକୁ ଅକ୍ତିଆରକୁ ନେବା ପରେ ତାଲିବାନ ସେଠାରେ ଥିବା ମହିଳାମାନଙ୍କ ଜୀବନ ସତେ ଯେମିତି ଦୁର୍ବିସହ ହୋଇପଡ଼ିଛି । ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ିଥିବା ହୋଲି ମାକେ ନାମକ ଜଣେ ସାମ୍ବାଦିକା ଆମେରିକୀୟ ସମ୍ବାଦପତ୍ର ଡଲାସ ମର୍ଣ୍ଣିଂ ନ୍ୟୁଜରେ ମହିଳାଙ୍କ ପ୍ରତି ତାଲିବାନୀଙ୍କ ବର୍ବରତା ସମ୍ପର୍କରେ ଏକ ଆର୍ଟିକିଲ ଲେଖିଛନ୍ତି। ତାଲିବାନୀ ମାନେ ଘରକୁ ଘର ବୁଲି ଯୁବତୀମାନଙ୍କୁ ଖୋଜୁଛନ୍ତି ।

ମାକେ ତାଙ୍କ ଆର୍ଟିକିଲ୍ ରେ ଲେଖିଛନ୍ତି ଯେ, ଆଫଗାନିସ୍ତାନର ୧୫ ବର୍ଷରୁ ଅଧିକ ବୟସର କିଶୋରୀ ଓ ଯୁବତୀମାନଙ୍କୁ ବିବାହ ପାଇଁ ତାଲିବାନ ମାନେ ଘରକୁ ଘର ବୁଲି ଖୋଜୁଛନ୍ତି ଓ ଉଠାଇ ନେଉଛନ୍ତି । ହୋଲି ମାକେ ଆଫଗାନିସ୍ତାନ ଛାଡିବାରେ ସଫଳ ହୋଇଥିବା ବେଳେ ତାଙ୍କ ବନ୍ଧୁମାନେ ଆତଙ୍କିତ ହୋଇ ଦିନ ବିତାଉଛନ୍ତି ।

ଆଫଗାନିସ୍ତାନରେ ରହିଯାଇଥିବା ନିଜର ଜଣେ ବନ୍ଧୁ ଫରିହା ଇଜରଙ୍କ ଠାରୁ ପାଇଥିବା ସୂଚନା ଆଧାରରେ ମାକେ ଲେଖିଛନ୍ତି ଯେ, ଆଫଗାନିସ୍ତାନର ବଦକସାନ ରାଜ୍ୟ ଅଧିକାର କରିବା ପରେ ତାଲିବାନୀ ମାନେ ଘରକୁ ଘର ବୁଲି ଯୁବତୀମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଦିନେ ରାତିରେ, ତାଲିବାନ ଲୋକମାନେ ଗୋଟିଏ ଘରୁ ଜଣେ ୨୧ ବର୍ଷୀୟା ଯୁବତୀକୁ ଉଠାଇ ନେଇଥିଲେ । ଯୁବତୀଙ୍କ ପିତାଙ୍କୁ ତାଲିବାନ ଲୋକ ମାନେ କହିଥିଲେ ଯେ ବିବାହ କରିବାକୁ ତାକୁ ନିଆଯାଉଛି । କିନ୍ତୁ ପରେ ଜଣାପଡ଼ିଲା ଯେ ପ୍ରତିଦିନ ରାତିରେ ଅତି କମରେ ୪ ଜଣ ତାଲିବାନ ଆତଙ୍କବାଦୀ ତାକୁ ଯୌନ ନିର୍ଯାତନା ଦେଉଛନ୍ତି । ଏହି ଘଟଣାରେ ପରେ ଯୁବତୀଙ୍କ ପିତା ନିଜର ଅନ୍ୟ ଝିଅମାନଙ୍କୁ ନେଇ ଘରଛାଡ଼ି ଏକ ଗୋପନ ସ୍ଥାନକୁ ପଳାଇଗଲେ । ତାଲିବାନ କ୍ଷମତାକୁ ଆସିବା ମାତ୍ରେ ପ୍ରଥମେ ମହିଳାଙ୍କ ଶିକ୍ଷା ଅଧିକାରକୁ ଛଡ଼ାଇ ନେଇଛି ଏବଂ ଆଗକୁ ତାଲିବାନ ସରକାର ଗଠନ ହେବାପରେ ମହିଳାଙ୍କର ଆଉ କୌଣସି ଅଧିକାର ରହିବ ନାହିଁ। ସାରିଆ ଆଇନ ଉଲ୍ଲଂଘନ ଦର୍ଶାଇ ତାଲିବାନ ଆତଙ୍କବାଦୀ ଯେ କୌଣସି ମହିଳାଙ୍କୁ ଟାର୍ଗେଟ୍‌ କରୁଛନ୍ତି।

Related Posts