ହରିଆଣାର ବିଜେପି ନେତାଙ୍କ କାରକୁ ଆକ୍ରମଣ କରିବା ଅଭିଯୋଗରେ ୧୦୦ ଚାଷୀଙ୍କ ବିରୋଧରେ ରୁଜୁ ହେଲା ଦେଶଦ୍ରୋହ ମାମଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସୁପ୍ରିମକୋର୍ଟ ଆଜି ବ୍ରିଟିଶ ଯୁଗର ଏହି ଦେଶଦ୍ରୋହ ଆଇନର ବୈଧତାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ୧୦୦ରୁ ଅଧିକ ଚାଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ବିଜେପି ନେତାଙ୍କ କାର ଉପରେ ଆକ୍ରମଣ କରିବାରୁ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରୁଥିବା ୧୦୦ରୁ ଅଧିକ ଚାଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ହୋଇଥିବାର ସୂଚନା ମିଳିଛି।

    କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ରବିବାର ଦିନ ବିଜେପି ନେତା ତଥା ହରିଆଣା ବିଧାନସଭାର ଉପ ବାଚସ୍ପତିଙ୍କ ରଣବୀର ଗଙ୍ଗୱାଙ୍କ କାର୍‌ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ହରିୟାଣା ପୋଲିସ ଚାଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। 

    ସୂଚନା ମୁତାବକ , ଚାଷୀମାନ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ଉପ ବାଚସ୍ପତି ରଣବୀର ଗଙ୍ଗୱାଙ୍କ କାରକୁ କିଛି ବକ୍ଷୋଭକାରୀ ଆକ୍ରମଣ କରିଥିଲେ। ହରିଆଣାର ସିର୍ସା ଠାରେ ଜୁଲାଇ ୧୧ରେ ଏହି ଘଟଣା ଘଟିଥିଲା। ଏହି ଘଟଣାରେ ସିର୍ସା ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ଚାଷ ନେତା ପ୍ରହ୍ଲାଦ ସିଂ ଏବଂ ହରଚରନ୍ ସିଂଙ୍କ ସହ ପ୍ରାୟ ୧୦୦ ଜଣ ଚାଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ହତ୍ୟା ଉଦ୍ୟମ ପାଇଁ ୩୦୭ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। 

      ଏହାପୂର୍ବରୁ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଥିଲେ ଯେ ବିରୋଧୀ କୃଷକ ସଂଗଠନ ନୂତନ କୃଷି ଆଇନ ରଦ୍ଦ ହେବାର ଜିଦ୍‌ ଧରି ରହିବା ଉଚିତ୍ ନୁହେଁ ଏବଂ ଏହା ସହ ସରକାରଙ୍କ ସହ ଆଲୋଚନା ପାଇଁ ଏକ ସର୍ତ୍ତ ରଖିବା କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଥିଲେ । ଏଥିସହ ସେ କହିଛନ୍ତି ଯେ କେବଳ ହାତଗଣତି ଲୋକ କୃଷି ଆଇନକୁ ବିରୋଧ କରୁଛନ୍ତି ।

     ମୁଖ୍ୟମନ୍ତ୍ରୀ କହିଥିଲେ ଯେ , “ଯେଉଁମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ସେମାନେ ପ୍ରକୃତରେ କୃଷକ ନୁହଁନ୍ତି।  ପ୍ରକୃତ ଚାଷୀଙ୍କର କୃଷି ଆଇନ ଉପରେ କୌଣସି ଆପତ୍ତି ନାହିଁ, ସେମାନେ ଖୁସି ଅଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ ଯେଉଁମାନେ କୃଷି ଆଇନକୁ ବିରୋଧ କରୁଛନ୍ତି ସେମାନେ କେବଳ ରାଜନୈତିକ ଉଦ୍ଦେଶ୍ୟରେ ଏପରି କରୁଛନ୍ତି। 

    ସିର୍ସା ଠାରେ ହୋଇଥିବା ଆକ୍ରମଣକୁ ହରିୟାଣା କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜୟ ମଧ୍ୟ ସମାଲୋଚନା କରିଥିଲେ। ଗୋଟିଏ ପଟେ ଦେଶଦ୍ରୋହ ଆଇନ ବଳରେ ମାମଲା ରୁଜୁ ହେଉଥିବା ବେଳେ ସୁପ୍ରିମକୋର୍ଟ ଆଜି କେନ୍ଦ୍ରକୁ ପଚାରିଛନ୍ତି ଯେ,” ମହାତ୍ମା ଗାନ୍ଧୀଙ୍କ ପରି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉପହାସ କରୁଥିବା ଔପନିବେଶିକ ଯୁଗର ଆଇନ ଆଜି ମଧ୍ୟ ଲୋକଙ୍କ ବିରୋଧରେ କାହିଁକି ବ୍ୟବହାର କରାଯାଉଛି ? “

Related Posts