କମଲ ନାଥ ହୋଇପାରନ୍ତି କଂଗ୍ରେସ ପାର୍ଟିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା କମଲ ନାଥଙ୍କୁ ଦଳ ପକ୍ଷରୁ ଏକ ବଡ ଦାୟିତ୍ବ ଦିଆଯାଇପାରେ। ସୂତ୍ରରୁ ମିଳୁଥିବା ସୂଚନା ମୁତାବକ , କମଲ ନାଥଙ୍କୁ ଦଳର କାର୍ଯ୍ୟକାରୀ ସଭାପତି କରାଯିବାର ସମ୍ଭାବନା ରହିଛି ।  ଏହା ମଧ୍ୟରେ ଆଜି କମଲ ନାଥ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ୧୦ ଜନପଥ ସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଅନ୍ୟ ପକ୍ଷରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। 

ଦଳର ସଭାପତି ପଦକୁ ନେଇ ଗତ କିଛି ଦିନ ହେବ କଂଗ୍ରେସ ଦଳ ମଧ୍ୟରେ ଆଲୋଚନା ଚାଲିଛି। ଏହି ପଦ ପାଇଁ କଂଗ୍ରେସ ନିଜର ସବୁଠାରୁ ବିଶ୍ୱସ୍ତ ତଥା ବରିଷ୍ଠ ନେତା କମଲ ନାଥଙ୍କ ବିଷୟରେ ଚିନ୍ତା କରୁଛି।  ଯଦି କମଲ ନାଥ ଏହି ଦାୟିତ୍ବ ଗ୍ରହଣ କରନ୍ତି, ତେବେ କଂଗ୍ରେସରେ ଏକ ବଡ ପରିବର୍ତ୍ତନ ହେବ।

 ବର୍ତ୍ତମାନ କେବଳ କାର୍ଯ୍ୟକାରୀ ସଭାପତି କରାଯିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ସୋନିଆ ଗାନ୍ଧୀ ଏହା ମାଧ୍ୟମରେ ଅନେକ ମେସେଜ୍ ଦେବାକୁ ଚାହୁଁଛନ୍ତି।  କୁହାଯାଉଛି ଯେ ମୌସୁମୀ ଅଧିବେଶନ ପରେ ଦଳର ସଭାପତି ନିର୍ବାଚିତ ହେବେ। ଆସନ୍ତା ବର୍ଷ ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ଦଳକୁ ନେଇ ଅନେକ ପ୍ରକାରର ଚର୍ଚ୍ଚା ଆଲୋଚନା ଚାଲିଛି।  ପଞ୍ଜାବର ଝଗଡା ଏପର୍ଯ୍ୟନ୍ତ ସମାଧାନ ହୋଇ ନ ଥିବା ବେଳେ ଦଳ ଭିତରେ ଅସନ୍ତୁଷ୍ଟ ନେତାଙ୍କ ଏକ ଗୋଷ୍ଠୀ ଅଛନ୍ତି।

  ଅନ୍ୟପକ୍ଷରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଛି। ସୂଚନାନୁସାରେ, ପ୍ରଶାନ୍ତ କିଶୋର ମଙ୍ଗଳବାର ଦିନ ଚାରି ଘଣ୍ଟା ଧରି କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସହ କଥା ହୋଇଥିଲେ।  କୁହାଯାଉଛି ଯେ ତାଙ୍କୁ କଂଗ୍ରେସ ପକ୍ଷରୁ ତାଙ୍କୁ ଏକ ବଡ ଅଫର ଦିଆଯାଇଛି। କଂଗ୍ରେସର ଏକ ଅଂଶ ହୋଇ ସଂଗଠନକୁ ମଜବୁତ କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। 

    ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ଜୁନ ୨୩ ରେ ପ୍ରସ୍ତାବିତ ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏବଂ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା କି ଯେ ପର୍ଯ୍ୟନ୍ତ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିର୍ବାଚନ ହୋଇନାହିଁ ସେ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।

Related Posts