ବୌଦ୍ଧ : ବୌଦ୍ଧ ଜିଲ୍ଲା ସିଆଲିମୁଣ୍ଡା ଛକରୁ ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ଟ୍ରକ ଜବତ। ଏହି ଅଭିଯୋଗରେ ପୋଲିସ ସମ୍ପୃକ୍ତ ଟ୍ରକ ଡ୍ରାଇଭରକୁ ଗିରଫ କରିଛି ।

ବାଉଁଶୁଣି ପୋଲିସ ବିସ୍ଫୋରକ ଭର୍ତ୍ତି ଟ୍ରକ୍‌କୁ ଜବତ କରିଛି। ଗିରଫ ଡ୍ରାଇଭରର ପରିଚୟ ରାଜେଶ ପ୍ରଧାନ ହୋଇଥିବା ବେଳେ ତାକୁ ପୋଲିସ ଏବେ ଅଟକ ରଖି ଏନେଇ ଅଧିକ ପଚରାଉଚୁରା ଜାରି ରଖିଛି।

ଖବର ଅନୁସାରେ, ରାମଚଣ୍ଡୀ କ୍ରସରକୁ ବିସ୍ଫୋରକ ଚାଲାଣ ବେଳେ ସିଆଲିମୁଣ୍ଡା ଛକରୁ ବେଆଇନ ଟ୍ରକ ପୋଲିସ ଜବତ କରିଛି। ଏହି ଅଭିଯୋଗରେ ପୋଲିସ କ୍ରସର ମାଲିକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ବାଉଁସୁଣି ଥାନା ଅନ୍ତର୍ଗତ ଗୋଛପଡ଼ାରେ ଥିବା କ୍ରସରକୁ ଏକ ବିସ୍ଫୋରକ ବୋଝେଇ ଟ୍ରକ ଯିବାବେଳେ ଗ୍ରାମବାସୀ ଟ୍ରକଟିକୁ ଅଟକାଇ ବାଉଁସୁଣି ପୋଲିସକୁ ଜଣାଇଥିଲେ।

ଘଟଣାସ୍ଥଳରେ ବାଉଁସୁଣି ପୋଲିସ୍ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ଗାଡ଼ି ଡ୍ରାଇଭର ରାଜେଶ୍ ପ୍ରଧାନକୁ ଥାନାରେ ଅଟକ ରଖିଛି। ତେବେ ଟ୍ରକରେ କେତେ ବିସ୍ଫୋରକ ଅଛି ସେ ନେଇ ପୋଲିସ୍ ସ୍ପଷ୍ଟ କରିନି। ଏହି ମାମଲାରେ କ୍ରସର ମାଲିକ ଶ୍ରୀନିବାସ ମିଶ୍ରଙ୍କ ନାଁରେ ପୋଲିସ୍ ମାମଲ ରୁଜୁ କରିଛି। ସେପଟେ କ୍ରସର ମାଲିକ ଫେରାର ଥିବା ବେଳେ ଏବେଯାଏଁ ତାଙ୍କୁ ପୋଲିସ ଗିରଫ କରି ପାରିନାହିଁ। ଅନ୍ୟପଟେ ପୋଲିସ କ୍ରସର ମାଲିକଙ୍କ ଭାଇ ଏବଂ ତାଙ୍କର ଜଣେ ସହିଯୋଗୀଙ୍କୁ ଆଣି ପଚରାଉଚରା କରି ଛାଡ଼ି ଦେଇଛି। ତେବେ ଏ ବିଷୟରେ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ