ଯେଉଁମାନଙ୍କର ଆଧାର କାର୍ଡ ଅଛି ସେମାନଙ୍କୁ ବ୍ଲୁ ଟିକ୍‌ ମିଳିବା ଆବଶ୍ୟକ: ଏଲନ ମସ୍କଙ୍କୁ କଙ୍ଗନାଙ୍କ ପରାମର୍ଶ

ନୂଆଦିଲ୍ଲୀ:ଟ୍ୱିଟରକୁ ମିଳିଛି ନୂଆ ମାଲିକ । ଏହାରି ମଧ୍ୟରେ ନୂଆ ମାଲିକ ଏଲନ ମସ୍କ ଅନେକ ପରିବର୍ତନ କରିଥିବା ବେଳେ, ବ୍ଲୁ ଟିକ୍ ବା ଭେରିଫାଏଡ ଆକାଉଣ୍ଟ ପାଇଁ ମାସକୁ ୮ ଡଲାର ଚାର୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମସ୍କଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ।

ସେ କହିଛନ୍ତି, ୟୁଜରମାନେ କିଛି କିଛି ଅର୍ଥ ଦେଲେ ସଂସ୍ଥାର ସାଧୁତା ବଜାୟ ରଖିବାରେ ତାହା ସହାୟକ ହେବ। ଦୁନିଆରେ କିଛି ମାଗଣା ନାହିଁ। ଯଦି ଏସବୁ ପ୍ଲାଟଫର୍ମ ମାଗଣାରେ ସେବା ଯୋଗାଇଦେବେ ତାହେଲେ ସେଗୁଡ଼ିକ ଚାଲିବ କିପରି ବୋଲି କଙ୍ଗନା କହିଛନ୍ତି। ଏହାବ୍ୟତୀତ ଯେଉଁମାନଙ୍କର ଆଧାର କାର୍ଡ ଅଛି ସେମାନଙ୍କୁ ନିଶ୍ଚିତ ଭାବରେ ବ୍ଲୁ ଟିକ୍‌ ମିଳିବା ଆବଶ୍ୟକ ବୋଲି କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି।

ବର୍ତ୍ତମାନ ଥିବା ସାମାଜିକ ଗଣମାଧ୍ୟମଗୁଡ଼ିକ ମଧ୍ୟରେ ଟ୍ବିଟର ସର୍ବୋତ୍କୃଷ୍ଟ। ତେବେ ଅଳ୍ପ କିଛି ଲୋକଙ୍କୁ କାହିଁକି ବ୍ଲୁ ଟିକ୍ ପ୍ରଦାନ କରାଯାଉଛି ଏବଂ ଅନ୍ୟମାନଙ୍କୁ ଏଥିରୁ ବଞ୍ଚିତ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କର ବାସ୍ତବରେ ସତ୍ତା ନାହିଁ କି ବୋଲି କହିଛନ୍ତି। ତେଣୁ ଯେଉଁମାନଙ୍କର ଆଧାର କାର୍ଡ ରହିଛି ସେମାନଙ୍କୁ ବ୍ଲୁ ଟିକ୍ ମିଳିବା ଉଚିତ ବୋଲି କଙ୍ଗନା କହିଛନ୍ତି। ଟ୍ବିଟର ନିୟମକୁ ବାରମ୍ବାର ଉଲ୍ଲଂଘନ କରିବା ଫଳରେ ଗତବର୍ଷ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସିର ବିଜୟ ଯୋଗୁ ସେଠାରେ ହିଂସା ଉପୁଜିଛି ବୋଲି ବିବାଦୀୟ ମନ୍ତବ୍ୟ ଦେବାପରେ ଏଭଳି ପଦକ୍ଷେପ ନିଆଯାଇଥିଲା ।

Related Posts