ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଅବଦୁର ରେହମାନ। ଆତଙ୍କବାଦୀ ଲିଙ୍କରେ ୨୦୧୫ରେ ତାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ତେବେ ୨୦୧୫ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଏକ ଏତଲାରେ ଦର୍ଶାଇଥିଲା ଯେ ଅଲ କାଏଦା ଭାରତରେ ନିଜର ନେଟୱର୍କ ସଂପ୍ରସାରଣ କରିବା ପାଇଁ ଚେଷ୍ଟା କରୁଛି। ରେହମାନକୁ କମିସନରେଟ୍ ପୁଲିସ ସହାୟତାରେ ଦିଲ୍ଲୀ ପୁଲିସ ୨୦୧୫ ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ଗିରଫ କରିଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।
ରେହମାନକୁ ଦିଲ୍ଲୀ ନିଆଯିବା ପରେ ସେଠାରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ପୁଲିସ୍ ତାକୁ ଜେରା କରି ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥିଲେ। ସେ ଟାଙ୍ଗୀ ଥାନା ଅନ୍ତର୍ଗତ ବିଲତେରୁଆଁ ଅଞ୍ଚଳରେ ଏକ ମଦ୍ରାସା ଖୋଲି ସେଠାରେ ଝାଡ଼ଖଣ୍ତ, ବିହାର ଅଞ୍ଚଳର ପିଲାଙ୍କୁ ଆଣି ଶିକ୍ଷା ଦେଉଥିଲା। ଓଡିଶା ଲିଙ୍କ୍ ସମ୍ପର୍କରେ ଖୋଳତାଡ ପାଇଁ କ୍ରାଇମ୍ବ୍ରାଞ୍ଚ ତାକୁ ଦୁଇଟି ପର୍ଯ୍ୟାୟରେ ୧୭ ଦିନ ରିମାଣ୍ତ୍ରେ ନେଇ ଜେରା କରିଥିଲା।
ରେହମାନ ବିରୋଧରେ ପୂର୍ବରୁ କ୍ରାଇମବ୍ରାଞ୍ଚ ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତରେ ଅନ୍ଲଫୁଲ ଆକ୍ଟିଭିଟିଜ୍(ପ୍ରିଭେନସନ୍) ଆଇନ, ୧୯୬୭ର ଧାରା ୧୬, ୧୭, ୧୮, ୧୮-ବି, ୨୦, ୨୧, ୩୮, ୪୦ ଓ ଆଇପିସିର ଦଫା ୧୨୪-କରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ସବୁ ଦଫାରେ ରୁଜୁ ମାମଲା ଦୌରା ଜଜଙ୍କ ନିକଟରେ ବିଚାର ଯୋଗ୍ୟ ହୋଇଥିବା ବେଳେ କଗନିଜାନ୍ସ ଗ୍ରହଣ ପରେ ମାମଲା ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରୁ କଟକ ଜିଲ୍ଲା ଓ ଦୌରା ଜଜ୍ ଅଦାଲତକୁ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା।
