ମାମୁଁ ଘରେ ଅଘଟଣ: ବୁଲିବାକୁ ଆସି ଭୁଲ୍ ରେ ୟୁରିଆ ସାର ଖାଇ ତିନି ଶିଶୁଙ୍କ ସମେତ ଚାରିଜଣ ଅସୁସ୍ଥ

ଦେବଗଡ: ୟୁରିଆ ସାର ଖାଇ ତିନି ଶିଶୁଙ୍କ ସମେତ ଚାରିଜଣ ଅସୁସ୍ଥ । ଅସୁସ୍ଥ ସମସ୍ତେ ଗୋଟିଏ ପରିବାରର ସଦସ୍ୟ। ଅସୁସ୍ଥଙ୍କୁ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଂପରଡା ଗ୍ରାମରେ ଘଟିଛି ଏହି ଅଘଟଣ ।

ସୂଚନା ଅନୁଯାୟୀ ବଂପରଡା ଗ୍ରାମ ଝରାସାହିର ସନ୍ତୋଷ ବେହେରାଙ୍କ ଜମିରେ ଚାଷ କାର୍ଯ୍ୟ ଚାଲିଥିବା ବେଳେ ତାଙ୍କୁ ସାହାଯ୍ୟ କରିବାକୁ ତିନି ବିବାହିତା ଝିଅ ଘରକୁ ଆସିଥିଲେ । ତିନି ଝିଅଙ୍କ ମଧ୍ୟରୁ ବଂପରଡା ଗ୍ରାମରେ ରହୁଥିବା ତଅପୋଇ ବେହେରା ତାଙ୍କର ଏକ ବର୍ଷର ଶିଶୁ କନ୍ୟା ଆରୋହୀ ବେହେରା, କୁନ୍ତ ବେହେରା ତାଙ୍କ ପୁଅ ପାଞ୍ଚ ବର୍ଷର ପୁଅ ପିଙ୍କୁ ବେହେରା ଓ ପାଲଲହଡା ପୁଡାଗଡ ଅଞ୍ଚଳରେ ରହୁଥିବା କୈକେୟୀ ବେହେରା ତାଙ୍କ ଏକ ବର୍ଷ ତିନି ମାସର ଶିଶୁ କନ୍ୟା ସୁଷମା ଗୋଛାୟତକୁ ନେଇ ବାପ ଘରକୁ ଆସିଥିଲେ।

ତିନି ଝିଅ ବାପା ସନ୍ତୋଷଙ୍କ ସହ ଚାଷ କାର୍ଯ୍ୟ ପାଇଁ ଜମିକୁ ଯାଇଥିବା ବେଳେ ନିଜ ନିଜର ଛୁଆ ମାନଙ୍କୁ ମାଆ ଯମୁନା ବେହେରା ପାଖରେ ଛାଡି ଯାଇଥିଲେ । ଆଈ ଯମୁନା ବେହେରା ଛୋଟ ନାତି ଓ ନାତୁଣୀଙ୍କୁ ଖାଇବାକୁ ଚୁଡା ଓ ମୁଢି ଦେଇଥିଲେ । ଏହି ସମୟରେ ଛୁଆ ମାନଙ୍କ ମଧ୍ୟରେ ପାଞ୍ଚ ବର୍ଷର ପିଙ୍କୁ ବେହେରା ନିକଟରେ ଥିବା ୟୁରିଆ ସାରକୁ ଚିନି ଭାବି ଆଣି ଚୁଡାରେ ମିଶାଇ ଖାଇବା ସହ ଅନ୍ୟ ଦୁଇ ଶିଶୁଙ୍କୁ ମଧ୍ୟ ଦେଇଥିଲେ।

ୟୁରିଆ ମିଶା ଚୁଡା ପିତା ଲାଗିବାରୁ ପିଙ୍କୁ ଆଈ ଯମୁନାଙ୍କୁ ଡାକି କହିଥିଲେ । ଯମୁନା ଆସି ଚୁଡା ଚାଖିବା ପରେ ପିତା ଲାଗିଥିବା ବେଳେ କିଛି ସମୟ ପରେ ସମସ୍ତଙ୍କର ବାନ୍ତି ହୋଇଥିଲା । ପରେ ସନ୍ତୋଷ ବେହେରା ଜମିରୁ ଫେରି ଘଟଣାକ୍ରମ ଶୁଣିବା ପରେ ସେମାନେ ସମସ୍ତେ ୟୁରିଆ ସାର ଖାଇ ଥିବା ଜଣାପଡିଥିଲା। ତତକ୍ଷଣାତ୍ ସମସ୍ତଙ୍କୁ ପ୍ରଥମେ ବାରକୋଟ ଓ ପରେ ଦେବଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

Related Posts