ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଅଘଟଣ: ଟ୍ରାକ୍ଟର ଓଲଟି ଦୁଇ ମୃତ, ୨ ଗୁରୁତର

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା । ବିଲ କାମ କରୁଥିବା ବେଳେ ଅଘଟଣ ଘଟିଛି । ଟ୍ରାକ୍ଟର ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକୀ ଗ୍ରାମର ୪ ଜଣ ମହିଳା ପାଖ ଗାଁ ପୁରୁଣିଆକୁ ବିଲ କାମ କରିବାକୁ ଚାଲି ଚାଲି ଯାଉଥିଲେ । ସେହି ସମୟରେ ସେହି ଗ୍ରାମର ଏକ ଟ୍ରାକ୍ଟର ଓଡି୧୧ଡବ୍ଲୁ-୧୧୫୯ ନମ୍ବର ବିଶିଷ୍ଟ ପୁରୁଣିଆକୁ ହଳ କରିବାକୁ ଯାଉଥିବା ସମୟରେ ସେମାନେ ଟ୍ରାକ୍ଟରକୁ ଅଟକାଇ ସେଥିରେ ବସି ଯାଉଥିଲେ । ତେବେ ଆଉ ଅଳ୍ପ ବାଟ ପହଞ୍ଚିବା ପୂର୍ବରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୁରୁଣିଆ କେନାଲ ନିକଟରେ ଓଲଟି ପଡିଥିଲା । ଟ୍ରାକ୍ଟର ତଳେ ଚାପିହୋଇ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମୃତକମାନେ ହେଲେ ଦଲକି ଗ୍ରାମର ଘନଶ୍ୟାମ ପାତ୍ରଙ୍କ ସ୍ତ୍ରୀ ୫୦ ବର୍ଷ ବୟସ୍କା ମନ୍ଦଦରୀ ପାତ୍ର ଓ ବୀରେନ୍ଦ୍ର ହାଁସଦାଙ୍କ ଝିଅ ୨୨ ବର୍ଷ ବୟସ୍କା ମିତାରାଣୀ ହାଁସଦା ଏବଂ ଗୁରୁତରମାନେ ହେଲେ ସେହି ଗ୍ରାମର ୪୫ ବର୍ଷ ବୟସ୍କା ସୋମବାରୀ ମାଝୀ ଓ ୫୦ ବର୍ଷ ବୟସ୍କା ବୁଦାଇ ମାଝୀ । ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି ।

ଏନେଇ ଖବର ପାଇ ବାଦାମପାହାଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Related Posts