ଆଇବି ରିପୋର୍ଟ ଅନୁସାରେ ଗୁଜୁରାଟରେ ଆପ ସରକାର ଗଠନ କରିବାକୁ ଯାଉଛି: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ଡିସେମ୍ବର ମାସରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ଆମ ଆଦମୀ ପାର୍ଟି ଏଠାରେ ସରକାର ଗଠନ ପାଇଁ ଜୋରଦାର କସରତ ଆରମ୍ଭ କରି ଦେଇଛି। ଏଥିପାଇଁ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଲଗାତାର ଗୁଜୁରାଟ ଗସ୍ତ କରୁଛନ୍ତି। ଏହି କ୍ରମରେ ଆଜି ତାଙ୍କର ଗୁଜୁରାଟ ଗସ୍ତର ଦ୍ଵିତୀୟ ଦିନରେ ସେ ରାଜକୋଟରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି ଯେ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସର୍ଭେ ରିପୋର୍ଟ ମୁତାବକ ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ସରକାର ଗଠନ କରିବାକୁ ଯାଉଛି। ଏଠାରେ ସରକାର ଗଠନ କରିବା ସହିତ ଉଭୟ ପଞ୍ଜାବ ଏବଂ ଦିଲ୍ଲୀର ବିପୁଳ ବିଜୟର ରେକର୍ଡ ମଧ୍ୟ ଆପ ଏଠାରେ ଭାଙ୍ଗିବାକୁ ଯାଉଛି ବୋଲି କେଜ୍ରିୱାଲ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସର୍ଭେ ମୁତାବକ ଆଜି ଯଦି ଗୁଜରାଟରେ ନିର୍ବାଚନ ହୁଏ ତେବେ ଆମ୍ ଆଦମୀ ପାର୍ଟି ଏଠାରେ ବହୁମତ ସହ ସରକାର ଗଠନ କରିବ । ସେପଟେ ସର୍ଭେ ରିପୋର୍ଟ ଆସିବା ପରେ କଂଗ୍ରେସ ଓ ବିଜେପି ଗୁପ୍ତ ଭାବେ ନିଜ ନିଜ ବୈଠକ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।ସେ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ବିଜେପି ଚାହୁଁଛି ରାଜ୍ୟରେ କଂଗ୍ରେସ ମଜବୁତ ହେଉ କାରଣ ଏପରି ହେଲେ ରାଜ୍ୟରେ ଥିବା ବିଜେପି ବିରୋଧୀ ଭୋଟ ଗୁଡିକ ଭାଗ ହୋଇଯିବ । ଏହାସହ ଆମ୍ ଆଦମୀ ପାର୍ଟିର ଭୋଟ କଂଗ୍ରେସ ଖାତାକୁ ଯିବ। ସେଥିପାଇଁ ବିଜେପି ଚକ୍ରାନ୍ତ କରୁଥିବା କଥା ସେ ଅଭିଯୋଗ କରିଛନ୍ତି । ହେଲେ ବିଜେପିର ଏହି ଚକ୍ରାନ୍ତ ଫେଲ ମାରିବା ସହିତ ଆଗାମୀ ନିର୍ବାଚନରେ ଗୁଜରାଟରେ କଂଗ୍ରେସ ୧୦ ଟି ଆସନ ମଧ୍ୟ ଜିତି ପାରିବ ନାହିଁ ବୋଲି କେଜ୍ରିୱାଲ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

Related Posts