ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ; ୨ ଏସିଏଫ୍, ଜଣେ ରେଞ୍ଜର ଓ ୭ ବନ କର୍ମଚାରୀ ଥାନାରେ ଅଟକ

ଭୁବନେଶ୍ୱର,୬/୨(ସତ୍ୟପାଠ ବ୍ୟୁରୋ): ବନ ବିଭାଗ ହେପାଜତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗ ପରେ ପୁଲିସ୍ ୨ ଜଣ ଏସିଏଫ୍‌, ଜଣେ ରେଞ୍ଜର ଓ ୭ ଅନ୍ୟ ବନ କର୍ମଚାରୀଙ୍କୁ ଅଟକ ରଖିଛି। କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ମୃତ ଅଭିଯୁକ୍ତଙ୍କ ନାଁ ଧନେଶ୍ୱର ବେହେରା (୫୯)। ତାଙ୍କ ଘର ଖୁଣ୍ଟକଟା ସାତଗୋଛିଆ ଗାଁରେ ବୋଲି ସୂଚନା ମିଳିଛି। ତେବେ ହାତୀ ଶିକାର କରିବା ଓ ଦାନ୍ତ କାଟି ନେବା ଅଭିଯୋଗରେ ଗତକାଲି ବଡ଼ମ୍ବା ରେଞ୍ଜର ବନକର୍ମୀଚାରୀମାନେ ଧନେଶ୍ଵରଙ୍କୁ ଘରୁ ଉଠାଇ ନେଇଥିଲେ। ତାଙ୍କୁ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ରଖି ପଚରାଉଚରା କରାଯାଉଥିଲା। ତେବେ ଆଜି ଭୋରରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ପୁଲିସ୍ ପାଖରେ ସୂଚନା ପହଞ୍ଚିଥିଲା। ଏହା ପରେ ଆଠଗଡ଼ ପୁଲିସ୍ ଆଠଗଡ଼ ବନଖଣ୍ଡର ୨ ଏସିଏଫ୍‌ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ରେଞ୍ଜର ସୁବ୍ରତ ବେହେରା ଏବଂ ଅନ୍ୟ ୭ ବନ କର୍ମଚାରୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ଆଠଗଡ଼ ଏସ୍‌ଡିପିଓ ସେମାନଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି।

ଅନ୍ୟପଟେରେ ଧନେଶ୍ୱର ବେହେରାଙ୍କ ମୃତଦେହକୁ ଆଠଗଡ଼ ହସ୍‌ପିଟାଲ୍‌ରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଧନେଶ୍ୱରଙ୍କୁ ବନ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ୩୦ ତାରିଖରେ ମାଣିଆବନ୍ଧ ବିଟ୍‌ର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଠାବ କରାଯାଇଥିଲା। ଏହି ହାତୀକୁ ହତ୍ୟା କରିଥିବା ସନ୍ଦେହ କରି ବନବିଭାଗ ଧାନେଶ୍ୱରଙ୍କୁ ଉଠାଇ ନେଇଥିଲା।

Related Posts