ଶାସକ ଦଳର ବହୁ ନେତା ବିଆରଏସ୍‌ରେ ଯୋଗଦେବେ, ଓଡ଼ିଶାର ଗାଁ ଗାଁରେ ପହଞ୍ଚିବ ତେଲେଙ୍ଗାନା ମଡେଲ: ବିଆରଏସ ଓଡ଼ିଶା

ଭୁବନେଶ୍ୱର,୬/୨(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମଡେଲ ଓଡ଼ିଶାର ଗାଁ ଗାଁ ରେ ପହଞ୍ଚିବ, ଓଡିଶାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସରକାର ଗଢ଼ିବ। ଏଭଳି ଦାବି କରିଛନ୍ତି ନିକଟରେ ବିଆରଏସରରେ ଯୋଗଦେଇଥିବା ଓଡ଼ିଶା ନେତାମାନେ କହିଛନ୍ତି। ଅପରପକ୍ଷରେ ବିଜେଡି, ବିଜେପି ଓ କଂଗ୍ରସରେ ଅଣଦେଖା ହୋଇ ରହିଥିବା ପୁରୁଖା ନେତା ଖୁବଶୀଘ୍ର ବିଆରଏସରେ ଯୋଗ ଦେବେ ବୋଲି ରବିବାର ବିଆରଏସ ନେତା ଅକ୍ଷୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ରବିବାର ବିଆରଏସ ଦୃଢ଼ୋକ୍ତି ପ୍ରକାଶ କରି କହିଛି ଯେ, ଆସନ୍ତା ମାସେ ଭିତରେ ରାଜ୍ୟର ଅନେକ ହାଇପ୍ରୋଫାଇଲ୍ ନେତା ବିଆରଏସରେ ଯୋଗଦେବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜନତା ଦଳ ଛାଡି ଅନ୍ୟତ୍ର ଦଳରେ ଥିବା ନେତାମାନେ ସାମିଲ ହେବେ। ଏହାପରେ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ଯେଉଁ ନେତାମାନେ ଅଣଦେଖା ହୋଇ ରହିଛନ୍ତି ସେମାନେ ସାମିଲ ହେବେ। ଏଥିମଧ୍ୟରୁ ଅଧିକ ନେତା ଶାସକ ବିଜେଡିରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଅକ୍ଷୟ କୁମାର।

ବିଆରଏସର ଓଡ଼ିଶା ୟୁନିଟ୍ ମଧ୍ୟ କହିଛି ଯେ, ସେମାନେ ତେଲେଙ୍ଗାନା ମଡେଲକୁ ଓଡ଼ିଶାରେ ଅନୁକରଣ କରିବାକୁ ଯାଉଛନ୍ତି। ଏଥିପାଇଁ ପୂର୍ବରୁ ଏକ ଦୁଇ ସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଥମେ ସକ୍ଷମ ଲୋକଙ୍କୁ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଯିବ। ଦ୍ୱିତୀୟରେ ଦଳୀୟ ଚିହ୍ନ ‘କାର’ ଧରି ଗାଁ ଗାଁ ବୁଲିବେ।

ତେଲେଙ୍ଗାନା ମଡେଲ କଥା କହିବାକୁ ଯାଇ ଅକ୍ଷୟ କୁମାର କହିଛନ୍ତି ଯେ, ତେଲେଙ୍ଗାନାରେ ଚାଷୀ, ଦଳିତ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରର ମଡେଲ ସଫଳ ହୋଇଛି। ତେଲେଙ୍ଗାନା ମଡେଲରେ ଚାଷୀଙ୍କ ମୃତ୍ୟୁ ପରେ ୧୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଯାହାର ପ୍ରିମିଅମ ଟଙ୍କା ସରକାର ଭରଣ କରୁଛନ୍ତି। ସେହିପରି କିଷାନ ବନ୍ଧୁ ଯୋଜନାରେ ପ୍ରତି ବର୍ଷ ଚାଷୀଙ୍କୁ ଏକର ପିଛା ୧୦ ହଜାର ଟଙ୍କା ଦିଆଯାଉଛି।ଭାଗିରଥୀ ପ୍ରକଳ୍ପ ମାଧ୍ୟମରେ ପ୍ରତି ଘରକୁ ସ୍ୱଚ୍ଛ ପିଇବା ପାଣି, ଚାଷୀଙ୍କୁ ମାଗଣା ବିଦ୍ୟୁତ ପ୍ରଦାନ କରାଯାଇଛି। ଦଳିତ ବନ୍ଧୁ ଯୋଜନାରେ ସମସ୍ତ ଦଳିତ ପରିବାରକୁ ରୋଜଗାରକ୍ଷମ ହେବା ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଭତ୍ତା ଦିଆଯାଉଛି। ପ୍ରତ୍ୟେକ ପ୍ରସୂତି ମହିଳାଙ୍କୁ ୧୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ଯଦି ତେଲେଙ୍ଗାନାରେ କିଛି ବର୍ଷ ମଧ୍ୟରେ କେସିଆର ସରକାର ଏହି ମଡେଲ ତିଆରି କରିପାରିଲେ ତାହେଲେ ଓଡିଶାରେ ୨୨ ବର୍ଷର ନବୀନ ସରକାର କାହିଁକି ଲୋକଙ୍କୁ ସୁହାଇଲା ଭଳି ମଡେଲ ତିଆରି କରିପାରୁନାହାନ୍ତି ବୋଲି ଅକ୍ଷୟ କୁମାର କହିଛନ୍ତି।

ବିଆରଏସ୍ ନେତା ଅକ୍ଷୟ କୁମାର ଆହୁରି କହିଛନ୍ତି ଯେ, ଯଦି କୃଷକଙ୍କ ରାଜନୈତିକ ମେରୁଦଣ୍ଡ ସୁଦୃଢ଼ ନହୁଏ, ତେବେ ଚାଷୀଙ୍କୁ କିଣାବିକା କରାଯିବ। ତେଲେଙ୍ଗାନା ମଡେଲ ଏଥିପାଇଁ ଉପଯୁକ୍ତ ହେବ। ଚଳିତ ମାସରେ, ଆମେ ୧୪୭ ନିର୍ବାଚନ ମଣ୍ଡଳୀର ସମ୍ଭାବ୍ୟ ବ୍ୟକ୍ତିଙ୍କୁ ସାମ୍ନାକୁ ଆଣିବୁ। ସେହିପିର ଦଳର ଚିହ୍ନ ହେଉଛି ଗାଡ଼ି। ଓଡ଼ିଶାର ପ୍ରତ୍ୟେକ ଗାଁରେ ତେଲେଙ୍ଗାନା ମଡେଲର ବାର୍ତ୍ତା ପହଞ୍ଚିବ ବୋଲି ବିଆରଏସ ନେତା ଜୟରାମ ପାଙ୍ଗୀ କହିଛନ୍ତି।

ସେପଟେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଦେବାଶିଷ ନାୟକ, ପୂର୍ବତନ ସାଂସଦ ତଥାଗତ ଶତପଥୀ, ମହମ୍ମଦ ମୋକିମଙ୍କ ଭଳି ନେତା ବିଆରଏସରେ ଯୋଗଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସେପଟେ ବିଆରଏସ୍ ନେତାଙ୍କ ଦାବିକୁ ବିଜେଡି, ବିଜେପି ଓ କଂଗ୍ରେସ ଗୁରୁତ୍ୱ ଦେଉନାହାନ୍ତି ବୋଲି କହିଛନ୍ତି।

ତେବେ ଏହାକୁ ନେଇ ବିଜେଡି ନେତା ଶଶିଭୂଷଣ ବେହେରା କହିଛନ୍ତି, ବିଆରଏସ୍‌ର ନେତାମାନେ କେବଳ ନିଜ କଥା କହିବେ। ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି। ବିଜେଡିର ନୀତି ଆଦର୍ଶରେ ପ୍ରଭାବିତ ହୋଇ ଜାତୀୟଦଳର ନେତାମାନେ ସଭା ଉପରେ ଖୁଲମଖୁଲା ପ୍ରଶଂସା କରୁଛନ୍ତି।

କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଏନେଇ କହିଛନ୍ତି ଯେ, କଂଗ୍ରେସରୁ କେହି ବି ବିଆରଏସ୍‌କୁ ଯିବେନି। ଯେଉଁମାନେ ଯାଇଛନ୍ତି ସେମାନେ ଉଡ଼ନ୍ତା କାଉ। ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ବିରୋଧୀଦଳ ନେତା ହେଲେ। ପରେ କେନ୍ଦ୍ରମନ୍ତ୍ରୀ ହେବା ସହ ବହୁଥର ଲୋକସଭାକୁ ଗଲେ। ପରେ ବିଜେପିକୁ ଉଡ଼ିଗଲେ, ସେଠାରୁ ଫୁର କିନି ଉଡ଼ିଯାଇ ବିଆରଏସ୍‌ରେ ଯୋଗଦେଲେଣି। ଓଡ଼ିଶାରେ ୨୦୨୪ ନିର୍ବାଚନରେ କଂଗ୍ରେସ ଏକ ନମ୍ବର ହେବ। ଦୁଇ ଓ ତିନି ନମ୍ବରରେ ବିଜେଡି ଓ ବିଜେପି ରହିବ। ଓଡ଼ିଶାରେ ଆଉ କାହାର ସ୍ଥାନ ନାହିଁ। ତେବେ ଏନେଇ ବିଜେପିର କୌଣସି ପ୍ରତିକ୍ରିୟା ମିଳିନି।

Related Posts