ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପତ୍ନୀ ଓ ତତ୍କାଳୀନ ଡିଏଫଓ

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦ୍ବାରସ୍ତ ହୋଇଛନ୍ତି ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ।ହାଇକୋର୍ଟରେ ଉଭୟ ଦୁଇଟି ଅଲଗା ଅଲଗା ମାମଲା ଦାୟର କରିଛନ୍ତି । ରାଜ୍ୟ ସରକାର ଓ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କୁ ଦୁଇ ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପ୍ରସଙ୍ଗରେ ଦାୟର ମାମଲାକୁ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ ଅଦାଲତ ବିଚାର ପାଇଁ ଗ୍ରହଣ କରି ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନ, ରେକର୍ଡ଼ କରାଯାଇଥିବା ସାକ୍ଷୀଙ୍କ ବୟାନ ଓ ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ଅନ୍ୟାନ୍ୟ ଦସ୍ତାବିଜକୁ ତର୍ଜମା କରି ଗତ ଏପ୍ରିଲରେ ଅଦାଲତ ଏପରି ନିର୍ଦ୍ଦେଶ ଦେଇଥିଲେ । ତେବେ ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଗତ ୨୦୨୧ ମସିହା, ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ଫରେଷ୍ଟ କଲୋନୀ ସ୍ଥିତ ନିଜ ସରକାରୀ କ୍ବାଟର୍ସରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ୧୩ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଏବଂ ଏସିଏଫଙ୍କ ମୃତ୍ୟୁର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିଲା । କିନ୍ତୁ ୨୦୨୨ ମସିହାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ହତ୍ୟା ମାମଲାରୁ କ୍ଲିନ୍‌ଚିଟ୍‌ ମିଳିଥିଲା । ଅଭିରାମଙ୍କ ଏତଲାକୁ ଆଧାର କରି ପାରଳାଖେମୁଣ୍ଡି ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଏହି ଘଟଣାକୁ ତଦନ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଅନେକ ସ୍ଥାନରେ ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ବୟାନ ରେକର୍ଡ଼ କରିଥିଲେ ।

ବାପା ଅଭିରାମ ଅଭିଯୋଗ କରିଥିଲେ ଯେ, ମାତ୍ର କିଛି ମାସ ପୂର୍ବେ ତାଙ୍କ ପୁଅ ମୟୂରଭଞ୍ଜ ଜିଲ୍ଲାର ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରି ପାରଳାଖେମୁଣ୍ଡିରେ ଆସି ସରକାରୀ ବାସଭବନରେ ରହୁଥିଲେ । ପୁଅ ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ପତ୍ନୀ ବିଦ୍ୟାଭାରତୀ ଓ ତତ୍କାଳୀନ ଡିଏଫ୍‌ଓଙ୍କ ସଂପୃକ୍ତି ରହିଥିବା ସେ ସଙ୍ଗୀନ ଅଭିଯୋଗ କରିଥିଲେ । ଏହି ମୃତ୍ୟୁ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଏତଲାରେ ଦର୍ଶାଯାଇଥିଲା ।

Related Posts