ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ତାଳଚୁଆ ଥାନା ଅମାନୁଷିକ ଘଟଣା, ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମାନବାଧିକାର କର୍ମୀ । ଏହା ସହ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଚାକିରିରୁ ବହିଷ୍କାର ସହ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରାଯାଇଥିବାର ସୂଚନା ମିଳିଛି । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ୍ ଥାନା ପରିସରରେ ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ପୋଲିସ ହେପାଜତରେ ଦିଆଯାଇଥିବା ଅମାନୁଷିକ ଥାର୍ଡ଼ ଡିଗ୍ରୀ ନିର୍ଯାତନା ଏବଂ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ସମ୍ପର୍କିତ ଘଟଣା ଏବେ ଜାତୀୟ ସ୍ତରରେ ଉଦ୍ବେଗ ପ୍ରକାଶ କରିଛି। ରକ୍ଷକ ସାଜିଥିବା ପୋଲିସ ଅଧିକାରୀଙ୍କ ଏଭଳି ସୀମାହୀନ ବର୍ବରତା ଓ ଆଇନର ଉଲ୍ଲଂଘନକୁ ନେଇ ନୂଆଦିଲ୍ଲୀର ବରିଷ୍ଠ ମାନବାଧିକାର କର୍ମୀ ଶ୍ରୀ ଭଜମନ ବିଶ୍ୱାଳ ଜାତୀୟ ମାନବାଧିକାର କମିଶନଙ୍କ ଚେୟାରପର୍ସନ ଜଷ୍ଟିସ ଭି. ରାମସୁବ୍ରମଣ୍ୟନଙ୍କ ନିକଟରେ ଏକ ଆଧିକାରିକ ସଙ୍ଗୀନ ଅଭିଯୋଗ ଦାଖଲ କରିଛନ୍ତି।
ଗଣମାଧ୍ୟମର ବିବରଣୀ ଅନୁଯାୟୀ, ଗତ ୨୪ ମେ’ ରବିବାର ଦିନ ଗିରିପାହି ଗ୍ରାମର ମନୋରଞ୍ଜନ ମଣ୍ଡଳ ପାରିବାରିକ ବିବାଦ ସମ୍ପର୍କରେ ତାଳଚୁଆ ମେରାଇନ୍ ଥାନାରେ ଏକ ଅଭିଯୋଗ କରିଥିଲେ। ଏହି ଆଧାରରେ ପରଦିନ (୨୫ ମେ’ ସୋମବାର) ଥାନାର ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଜେନା ଅଭିଯୁକ୍ତ ମହିଳା ଅନ୍ନପୂର୍ଣ୍ଣା ମଣ୍ଡଳ (୫୫) ଏବଂ ତାଙ୍କ ପୁଅ ଅନନ୍ତ ମଣ୍ଡଳ (୩୧)ଙ୍କୁ ଜେରା ପାଇଁ ସମନ କରିଥିଲେ।
ସନ୍ଧ୍ୟା ସମୟରେ ମା’-ପୁଅ ଥାନାରେ ହାଜର ହୋଇ ନିଜ ପକ୍ଷ ରଖିବା ସହ ଏକ ଓଲଟା ଏଫ୍ଆଇଆର୍ ଦେବାକୁ ଅନୁରୋଧ କରିଥିଲେ। ମାତ୍ର କର୍ତ୍ତବ୍ୟରତ ଆଇଆଇସି ସେମାନଙ୍କ ଗୁହାରି ଶୁଣିବା ପରିବର୍ତ୍ତେ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ନିଜ ସହଯୋଗୀମାନଙ୍କ ସହ ମିଶି ସେମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ।
ପୁଅ ସାମ୍ନାରେ ୫୫ ବର୍ଷୀୟା ବୃଦ୍ଧା ମା’ଙ୍କୁ ବିବସ୍ତ୍ର କରାଯାଇ ମାନସିକ ସ୍ତରରେ ଭାଙ୍ଗିଦେବାକୁ ଚେଷ୍ଟା କରାଯାଇଥିଲା। ସବୁଠାରୁ ଦୁଃଖଦ ଓ ସ୍ପର୍ଶକାତର ବିଷୟ ହେଉଛି, ଆଇଆଇସି ସନ୍ଧ୍ୟାରାଣୀ ସମ୍ପୃକ୍ତ ମହିଳାଙ୍କ ମଥାରୁ ଜବରଦସ୍ତ ସିନ୍ଦୂର ପୋଛି ଦେଇଥିଲେ, ଯାହା ଭାରତୀୟ ସଂସ୍କୃତି ଓ ନାରୀତ୍ୱ ପ୍ରତି ଚରମ ଅପମାନ।
ଉଭୟ ମା’-ପୁଅଙ୍କୁ ପ୍ରାୟ ୪ ଘଣ୍ଟା କାଳ ଥାନାର ଏକ ଶୌଚାଳୟ ମଧ୍ୟରେ ବନ୍ଦ କରି ରଖାଯାଇଥିଲା। ବିକଳ ହୋଇ ପାଣି ମାଗିଥିଲେ ମଧ୍ୟ ସେମାନଙ୍କୁ ଜଳପାନରୁ ବଞ୍ଚିତ କରାଯାଇ ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମୋବାଇଲ୍ ଜବତ କରାଯାଇ କେତେକ ସାଧା କାଗଜରେ ଦସ୍ତଖତ ରଖାଯାଇଥିଲା। ନିସ୍ତୁକ ମାଡ଼ ଯୋଗୁଁ ଗୁରୁତର ହୋଇପଡ଼ିଥିବା ମା’-ପୁଅଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ମାଇନା ଅନୁସାରେ, ଅନ୍ନପୂର୍ଣ୍ଣାଙ୍କ ହାତରେ ଏବେ ଗଭୀର କ୍ଷତ ଚିହ୍ନ ଥିବାବେଳେ ଅନନ୍ତଙ୍କ ପିଠି, ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି।
ଏହି ଘଟଣା ଜଣାପଡ଼ିବା ପରେ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କାଟାରିଆ ତାଳଚୁଆ ଥାନା ପରିଦର୍ଶନ କରି ପ୍ରାଥମିକ ତଦନ୍ତ କରିଥିଲେ। ଏହା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି। ତେବେ ଉକ୍ତ ମହିଳା ପୋଲିସ ଅଧିକାରୀଙ୍କ ପୂର୍ବ ଆଚରଣ ମଧ୍ୟ ଅତ୍ୟନ୍ତ ବିବାଦୀୟ ରହିଥିଲା:
୧. ୨୦୨୦ (କେନ୍ଦୁଝର, ପାଟଣା ଥାନା): ଥାନା ଭିତରେ ଜଣେ ଯୁବକଙ୍କୁ ଲାଠିରେ ନିର୍ଦ୍ଦୟ ଭାବେ ପିଟିବା ଅଭିଯୋଗରେ ତତ୍କାଳୀନ ଡିଜିପିଙ୍କ ଦ୍ୱାରା ନିଲମ୍ବିତ ହୋଇଥିଲେ। ଓଡ଼ିଶା ମାନବାଧିକାର କମିଶନ (OHRC) ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ଥାନାରେ ଦାୟିତ୍ୱ ନଦେବାକୁ ସୁପାରିଶ କରିଥିଲେ।
୨. ୮ ଜାନୁଆରୀ ୨୦୨୪ (ଝାରସୁଗୁଡ଼ା, ଲଖନପୁର ଥାନା): ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ଜଣ ବ୍ୟକ୍ତିଙ୍କ ଶବ ଓ ସେମାନଙ୍କ ବାଇକ୍କୁ ଅନ୍ୟ ଥାନା ସୀମାକୁ ବେଆଇନ ଭାବେ ସ୍ଥାନାନ୍ତର କରି ଫିଙ୍ଗିଦେବା ଅଭିଯୋଗରେ ତତ୍କାଳୀନ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ନିଲମ୍ବିତ ହୋଇଥିଲେ।
ସେପଟେ ମାନବାଧିକାର କର୍ମୀ ଶ୍ରୀ ବିଶ୍ୱାଳ ନିଜ ପିଟିସନ୍ରେ ଉଲ୍ଲେଖ କରିଛନ୍ତି ଯେ, ପୋଲିସର ଦାୟିତ୍ୱ ହେଉଛି ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା କରିବା। ମାତ୍ର ଯଦି ପୋଲିସ ନିଜକୁ ଆଇନର ଊର୍ଦ୍ଧ୍ୱରେ ଭାବି ନିଜେ ହିଁ ବିଚାରକ ସାଜିବ, ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ୍ୟାୟାଳୟର ପ୍ରାସଙ୍ଗିକତା ରହିବ କେଉଁଠି? ଗୃହ ବିଭାଗ ଓ ଉପରିସ୍ଥ ଅଧିକାରୀଙ୍କ ଶିଥିଳ ମନୋଭାବ ଯୋଗୁଁ ତଳସ୍ତରର କେତେକ ପୋଲିସ କର୍ମଚାରୀ ଅପରାଧୀ ଭଳି ଆଚରଣ କରୁଛନ୍ତି।
ମାନବାଧିକାର କର୍ମୀ Bhajaman Biswal କମିଶନ ନିକଟରେ ରଖିଥିବା ମୁଖ୍ୟ ଦାବି ଗୁଡ଼ିକ ହେଲା :
➡️ ଉକ୍ତ ଆଇଆଇସି ଜଣେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀ ହୋଇଥିବାରୁ କେବଳ ନିଲମ୍ବନ ଯଥେଷ୍ଟ ନୁହେଁ, ସେମାନଙ୍କୁ ଚାକିରିରୁ ସ୍ଥାୟୀ ଭାବେ ବହିଷ୍କାର କରାଯାଉ।
➡️ ସନ୍ଧ୍ୟାରାଣୀ ଜେନା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ର ସଙ୍ଗୀନ ଧାରାରେ ଅପରାଧିକ ମାମଲା ରୁଜୁ କରି ଗିରଫ କରାଯାଉ।
➡️ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଥାନାର ସିସିଟିଭି ଫୁଟେଜ୍କୁ ପ୍ରମାଣ ସ୍ୱରୂପ କମିଶନ ତୁରନ୍ତ ନିଜ ହେପାଜତକୁ ନିଅନ୍ତୁ।
➡️ ପୋଲିସ ନିର୍ଯାତନାର ଶିକାର ହୋଇଥିବା ମା’ ଓ ପୁଅଙ୍କୁ ପୃଥକ ଭାବେ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ ଏହି ଅର୍ଥ ଦୋଷୀ ପୋଲିସ କର୍ମଚାରୀଙ୍କ ଦରମାରୁ କଟାଯାଉ। ସମାଜରେ ଆଇନର ଶାସନ ପ୍ରତିଷ୍ଠା ଏବଂ ନିରୀହ ନାଗରିକଙ୍କ ମାନବାଧିକାର ସୁରକ୍ଷା ପାଇଁ ଏହି ମାମଲାରେ ଏକ ନିରପେକ୍ଷ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।
