ସରଗରମ ରାଜସ୍ଥାନ ରାଜନୀତି; ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ବିରୋଧ କରି ଗେହଲୋଟ ଗୋଷ୍ଠୀର ୯୨ ବିଧାୟକଙ୍କ ଇସ୍ତଫା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲୋଟ କଂଗ୍ରେସ ଦଳର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଗେହଲୋଟ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ତାଙ୍କୁ ଦଳର ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ। ବର୍ତ୍ତମାନ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଗେହଲୋଟ କେଉଁ ମୁହୂର୍ତ୍ତରେ ବି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଇସ୍ତଫା ଦେଲେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭେବେ ସଚିନ ପାଇଲଟ ଦାୟିତ୍ବ ନେଇ ପାରନ୍ତି। ଏସବୁ ଚର୍ଚ୍ଚା ଆଲୋଚନା ଭିତରେ ଏବେ ରାଜସ୍ଥାନ ରାଜନୀତିରେ ହାଇଡ୍ରାମା ଆରମ୍ଭ ହୋଇଯାଇଛି । ସଚିନ୍ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ବିରୋଧ କରି ରାଜ୍ୟର ୯୨ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ବିଧାୟକମାନେ ଦଳର ନିଷ୍ପତିକୁ ବିରୋଧ କରି ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ସିପି ଜୋଶୀଙ୍କୁ ଦେଇଥିବା ନେଇ ସୂଚନା ଦେଇଛନ୍ତି ବିଧାୟକ ପ୍ରତାପ ସିଂ ।

ଦଳ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବେଳେ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିବା ଓ ସେମାନଙ୍କ ସହ ଆଲୋଚନା କରିନଥିବା ଅଭିଯୋଗ ଆଣି ସମସ୍ତ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରତାପ ଏନେଇ କହିଛନ୍ତି ଯେ, ଅଶୋକ ଗେହଲୋଟ ଏକାସାଙ୍ଗରେ ଦଳର ଅଧ୍ୟକ୍ଷ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ସମ୍ଭାଳି ପାରିବେ । ଅଶୋକ ଗେହଲଟ ରାଜସ୍ଥାନରେ ବହୁ ଜନମଂଗଳକାରୀ ଯୋଜନା ପ୍ରଣୟଣ କରିଛନ୍ତି । ଆଉ ଏଭଳି ହେଲେ, ଦଳ ପୁଣି ଥରେ ରାଜସ୍ଥାନରେ କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଆଜି ସନ୍ଧ୍ୟାରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକକୁ ମଧ୍ୟ ରଦ୍ଧ କରି ଦିଆଯାଇଛି । ବୈଠକରେ ଯୋଗ ଦେବା ପାଇଁ ଯାଇଥିବା କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ମଲିକାର୍ଜୁନ ଖଡଗେଙ୍କ ସମ୍ମୁଖରେ କଂଗ୍ରେସ ବିଧାୟକମାନେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିବାଦ ବଢ଼ୁଥିବାବେଳେ ଅଶୋକ ଗେହଲଟଙ୍କ ସହ କଥା ହୋଇଛନ୍ତି ଦଳର ବରିଷ୍ଠ ନେତା କେ.ସି. ବେଣୁଗୋପାଳ । କିନ୍ତୁ ଅଶୋକ ଗେହଲଟ କହିଛନ୍ତି ପରିସ୍ଥିତି ତାଙ୍କ ନିୟନ୍ତ୍ରଣରେ ନାହିଁ ।କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତି ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଆଉ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ହାଇକମାଣ୍ଡ ନିଷ୍ପତି ନେଇଥିଲେ । ହେଲେ, ୧୦୭ ଦଳୀୟ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଗେହଲଟଙ୍କ ସପକ୍ଷରେ ୯୨ ବିଧାୟକ ରିହଥିବାବେଳେ ସଚିନଙ୍କ ସପକ୍ଷରେ ମାତ୍ର ୧୫ ବିଧାୟକ ରହିଛନ୍ତି ବୋଲି ସୂଚନା ମିଳିଛି।

Related Posts