ରାଜସ୍ଥାନରେ ରାଜନୈତିକ ସଙ୍କଟ; ‘ମୋ ହାତରେ କିଛି ନାହିଁ’ କହି ହାତ ଟେକିଦେଲେ ଅଶୋକ ଗେହଲଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନରେ ରାଜନୈତିକ ସଂକଟ ଦେଖାଦେଇଛି। ରାଜ୍ୟରେ ପୁଣି ଥରେ କଂଗ୍ରେସ ଦୁଇ ଭାଗ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅଶୋକ ଗେହଲଟ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଗେହଲଟ ଦଳର ଅଧ୍ୟକ୍ଷ ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ତେବେ ଗେହଲଟଙ୍କ ଇସ୍ତଫା ପରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ଚର୍ଚ୍ଚା ହେବାପରେ ରାଜ୍ୟରେ ରାଜନୈତିକ ସଂକଟ ଏବେ ବଡ଼ ରୂପ ନେଇଛି । ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତି ଉପରେ ବଡ଼ ବିରୋଧ ଆରମ୍ଭ ହୋଇଛି । ଅଶୋକ ଗେହଲଟ ଗୋଷ୍ଠୀର ୯୨ ଜଣ ବିଧାୟକ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଇଥିବା ସୂଚନାମିଳିଛି ।

ଏସବୁ ଭିତରେ କିନ୍ତୁ ଗେହଲଟଙ୍କ ଆଭିମୁଖ୍ୟ ଦଳର ଶୀର୍ଷ ନେତୃତ୍ୱ ବୁଦ୍ଧିଶୂନ୍ୟ କରିଛି । ସୂତ୍ର ଅନୁସାରେ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦଳର ମହାସଚିବ କେସି ବେଣୁଗୋପାଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଫୋନ କରି ଜୟପୁରରେ କଣ ଚାଲିଛି ବୋଲି ପ୍ରଶ୍ନ କରିଥିଲେ। କୁହାଯାଉଛି ଯେ, ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହାତ ଟେକି ଦେଇଥିଲେ ଏବଂ ତାଙ୍କ ନିୟନ୍ତ୍ରଣରେ କିଛି ନଥିବା କହିଥିଲେ । ସେ କହିଛନ୍ତି ଯେ, ଏହି ଇସ୍ତଫା ବିଧାୟକ ମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଏଥିରେ କାହାରି ହାତ ନାହିଁ।

ସୂଚନା ଅନୁସାରେ, ଦିଲ୍ଲୀରୁ ରାଜସ୍ଥାନ ଯାଇଥିବା ଦଳୀୟ ପର୍ଯ୍ୟବକ୍ଷେକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନଙ୍କ ଉପସ୍ଥିତିରେ ରବିବାର ସଂଧ୍ୟାରେ ଗେହଲଟଙ୍କ ଆବାସରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥାନ୍ତା। କୁହାଯାଉଛି ଏଥିରେ ଏକ ପ୍ରସ୍ତାବ ପାରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥାନ୍ତା । ତେବେ ଗେହଲଟଙ୍କ ଗୋଷ୍ଠୀର ଆଶଂକା ଥିଲା ଯେ, ଶୀର୍ଷ ନେତୃତ୍ୱ ସଚିନ ପାଇଲଟଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରୂପେ କ୍ଷମତା ହସ୍ତାନ୍ତର କରିବେ । ଏହା ପୂର୍ବରୁ ଗେହଲଟ ଗୋଷ୍ଠୀର ବିଧାୟକ ବିଦ୍ରୋହ କରି ଇସ୍ତଫା ଦେଇଛନ୍ତି ।

Related Posts