ଅଭିନେତା ତଥା ବସ୍ ସିଜନ୍-୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ଅଭିନେତା ତଥା ବିଗ୍ ବସ୍ ସିଜନ୍-୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ । ସୂଚନାନୁସାରେ, ୪୦ ବର୍ଷୀୟ ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ମୁମ୍ବାଇର କପୁର୍ ହସ୍ପିଟାଲରେ ସିଦ୍ଧାର୍ଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ସୂଚନା ମୁତାବକ , ଗତକାଲି ରାତିରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ କିନ୍ତୁ ଏହା ପରେ ସେ ଉଠି ନଥିଲେ। ଆଜି ସକାଳେ ସେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। 

ସେ ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ । ବିଗ୍‌ ବସ୍‌ ସିଜିନ୍‌ ୧୩ର ସେ ବିଜେତା ଥିଲେ। ଏମିତି ହଠାତ୍‌ ତାଙ୍କର ମୃତ୍ୟୁ ଖବରକୁ ନେଇ ପୁରା ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି। ବିଗ୍‌ ବସ୍‌ ଜିତିବା ପରେ ତାଙ୍କର କ୍ୟାରିୟରରେ ପରିବର୍ତ୍ତନ ଆସିଥିଲା। ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ଶୀର୍ଷ ଛୁଇଁଥିଲା। ଏତେ କମ୍‌ ବୟସରେ ହଠାତ୍‌ ଏମିତି ଚାଲିଯିବା ତାଙ୍କ ଫ୍ୟାନ୍‌ ମାନଙ୍କୁ ସ୍ତବ୍ଧ କରିଦେଇଛି।

‘ବାଳିକା ବଧୂ’ ସିରିଏଲ୍‌ରୁ ସିଦ୍ଧାର୍ଥ ଶୁକ୍ଲା ଲୋକପ୍ରିୟ ହୋଇଥିଲେ। ସେ ‘ହମ୍ପଟି ଶର୍ମାକି ଦୁଲହନିଆଁ’ ଫିଲ୍ମରେ ମଧ୍ୟ କାମ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ଏକତା କପୁରଙ୍କ ସିରିଜ ‘ବ୍ରେକନ୍‌ ବଟ୍‌ ବିୟୁଟିଫୁଲ୍‌-୩’ରେ ନଜର ଆସିଥିଲେ।  

ସିଦ୍ଧାର୍ଥ ୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ସିଦ୍ଧାର୍ଥ ୨୦୦୪ରୁ ଟେଲିଭିଜନ ଦୁନିଆରେ ପାଦ ରଖିଥିଲେ । ୨୦୦୮ରେ ‘ବାବୁଲ କା ଆଙ୍ଗନ ଛୁଟେ ନା’ ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତା ଭାବେ ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୂ’ରୁ ତାଙ୍କୁ ପରିଚୟ ମିଳିଥିଲା। 

Related Posts