‘ଭାରତ ଯୋଡ଼ୋ ଯାତ୍ରା’ରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେଲେ ଅଭିନେତ୍ରୀ ରିୟା ସେନ୍‌

ଅକୋଲା: ଆଜି ମହାରାଷ୍ଟ୍ରର ଅକୋଲାରେ ଚାଲିଛି କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ । ତେବେ ଏହି ଅବସରରେ ଅଭିନେତ୍ରୀ ରିୟା ସେନ୍‌ରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେଇଛନ୍ତି। ଦୁହେଁ କଥାବର୍ତ୍ତା ହୋଇ ବାଟ ଚାଲୁଥିବା ଦୃଶ୍ୟ ସମ୍ବଳିତ ଫଟୋ ଓ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇଛି।

ଭାଇରାଲ୍‌ ହେଉଥିବା ଉକ୍ତ ଭିଡିଓରେ ଦେଖାଯାଉଛି ‘ଆପ୍‌ନା ସପ୍‌ନା ମନି ମନି’ର ଅଭିନେତ୍ରୀ ରିୟା ରାହୁଲ୍‌ ଓ ଅନ୍ୟମାନଙ୍କ ସହିତ ଆଳାପ ଆଲୋଚନା କରି କିଛି ବାଟ ଚଞ୍ଚଳ ଚଞ୍ଚଳ ଚାଲିଯାଉଛନ୍ତି।

ରାହୁଲ୍‌ଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବା ଆଗରୁ ଆଜି ରିୟା ତାଙ୍କ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଥିଲେ, ଦେଶବାସୀଙ୍କୁ ଏକତ୍ର କରିବା ଉପରେ ଗୁରୁତ୍ବାରୋପ କରାଯାଇଥିବା ଏଭଳି ଏକ ଉପକ୍ରମରେ ଭାଗ ନେବାକୁ ଥିବାରୁ ଧନ୍ୟ ମଣୁଛି। ଏକତା ପ୍ରଦର୍ଶନର ଏଭଳି ସାହସିକ ଉପକ୍ରମର ନେତୃତ୍ବ ନେଇଥିବାରୁ ରାହୁଲ୍‌ ଗାନ୍ଧୀଙ୍କୁ ଧନ୍ୟବାଦ।

ଉଲ୍ଲେଖଯୋଗ୍ୟ, ରିୟା ହେଉଛନ୍ତି ବିଶିଷ୍ଟ ଅଭିନେତ୍ରୀ ମୁନ୍‌ ମୁନ୍‌ ସେନ୍‌ଙ୍କ କନ୍ୟା ତଥା ଅଭିନେତ୍ରୀ ସୁଚିତ୍ରା ସେନ୍‌ଙ୍କ ନାତୁଣୀ। ୫ ବର୍ଷ ବୟସରେ ସେ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ସେ ତାଙ୍କ ମାଆ ମୁନ୍‌ ମୁନ୍‌ଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଅଭିନେତ୍ରୀ ପୂଜା ଭଟ୍ଟ ମଧ୍ୟ ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ।

Related Posts