ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା ସରକାର ଭାଙ୍ଗିବା ପରେ ଏବେ ନୂଆ ସରକାର ଗଢିଛି ବିଜେପି ଓ ଶିବସେନା ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଉଦ୍ଧବଙ୍କ ପୁତ୍ର ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ପିତାଙ୍କ ପାଇଁ ଏକ ପୋଷ୍ଟ୍ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜ ପିତାଙ୍କ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପଛରେ ଚାଲୁଛନ୍ତି । ଏହାସହ ଆଦିତ୍ୟ ସଦାବେଳେ ସଠିକ୍ ପାଦଚିହ୍ନକୁ ଅନୁସରଣ କରିବା ଜରୁରୀ ବୋଲି ଲେଖିଛନ୍ତି ।
ସୂଚନାନୁସାରେ, ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଓତାଙ୍କ ସମର୍ଥନ କରୁଥିବା ୫୦ ବିଧାୟକଙ୍କ କାରଣରୁ ଉଦ୍ଧବଙ୍କ ନେତୃତ୍ୱରେ ଥିବା ମେଣ୍ଟ୍ ସରକାର ଭାଙ୍ଗିଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ଜୁନିଅର ଠାକରେ କହିଛନ୍ତି, ସର୍ବଦା ସଠିକ ପାଦଚିହ୍ନକୁ ଅନୁକରଣ କରିବା ଗୁରୁତ୍ୱପୂର୍ଣ୍ଣ । ଭଲ ପାଇବା ଓ ଆଶୀର୍ବାଦ କାରଣରୁ ସେ ସମସ୍ତଙ୍କ ପାଖରେ ଋଣୀ । ଏହି ଭଲ ପାଇବା ହେଉଛି ପ୍ରକୃତ ଶକ୍ତି ।
ଏହାପୂର୍ବରୁ ଆଦିତ୍ୟ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ପିତା ପୂର୍ବରୁ ବିଶ୍ୱାସଘାତକତା ଦେଖିଛନ୍ତି । ପିତା ସମ୍ମାନଜନକ ଭାବେ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ପଦବୀ ପ୍ରତି ସେ ଲାଳାୟିତ ନୁହଁନ୍ତି । ଏପରିକି ସେ ବର୍ଷା ମଧ୍ୟ ଛାଡିଦେଇଥିଲେ ।
