
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି ଖେଳିଲା ଆଦିବାସୀ କାର୍ଡ | ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ହେଲେ ଦଳର ଉପବାଚସ୍ପତି ପ୍ରାର୍ଥୀ । ଜି.ଉଦୟଗିରିରୁ ଦୁଇ ଥରର ବିଧାୟକ ସାଲୁଗାଙ୍କ ନାଁ ଘୋଷଣା କରି ବିଜେଡି ଖେଳିଛି ଆଦିବାସୀ କାର୍ଡ । ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ ।
ଆଜି ସେ ବିଧାନସଭା ସଚିବଙ୍କ ନିକଟରେ ଉପବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ନିର୍ବାଚନ ହେବ। ତେବେ ବିଜେଡିର ସଂଖ୍ୟା ଦୁଷ୍ଟିରୁ ସାଲୁଗା ହିଁ ପରବର୍ତ୍ତୀ ଉପବାଚସ୍ପତି ହେବା ନିଶ୍ଚିତ ବୋଲି କୁହାଯାଉଛି | ତେବେ ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ସଂଗଠନ କାମ କରିବାକୁ ସେ ଇସ୍ତଫା ଦେଇଥିବା କହିଥିଲେ|
ତେବେ ଗତ 14 ତାରିଖରେ ରାଜ୍ୟ କ୍ୟାବିନେଟରେ ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀ କିଣିବା ନେଇ ଏକ ଅଧ୍ୟାଦେଶ ସରକାର ପାରିତ କରିଥିଲେ | ହେଲେ ଏହାକୁ ବିଭିନ୍ନ ଆଦିବାସୀ ସଂଗଠନ ସମେତ ବିରୋଧୀ ଦଳମାନେ ବିରୋଧ କରିବାରୁ 48 ଘଣ୍ଟା ନ ପୂରୁଣୁ ସରକାର ଏହାକୁ ସ୍ଥଗିତ ରଖିଥିଲେ | ଏନେଇ ମନ୍ତ୍ରୀ ସୁଦାମ ମାରାଣ୍ଡି ସୋସିଆଲ ମିଡିଆରେ ସୂଚନା ଦେଇଥିଲେ | ଯାହାପରେ ଏବେ ବିଜେଡି ଜଣେ ଆଦିବାସୀଙ୍କୁ ଉପବାଚସ୍ପତି କରି ଆଦିବାସୀ କାର୍ଡ ଖେଳିଥିବା କୁହାଯାଉଛି |
ସେପଟେ ଆସନ୍ତାକାଲି ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହାପୂର୍ବରୁ ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଆଉ କିଛି ସମୟ ପରେ ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକରେ ସବିଶେଷ ଭାବେ ଆଲୋଚନା କରାଯିବ ।