ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା। ଶିଆଳିଆ ଗ୍ରାମ ରାସ୍ତାରେ ଜଣେ ବ୍ରାଉନସୁଗର ମାଫିଆ ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ପୋଲିସ ଗାଡିକୁ ଯାଞ୍ଚ୍ କରିଥିଲା। ଏହି ସମୟରେ ଗାଡି ଭିତରୁ ନଗଦ ୨୨ ଲକ୍ଷ ଟଙ୍କା ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ବ୍ରାଉନସୁଗର ମାଫିଆ ଫେରାର୍ ହୋଇଯାଇଛି। ଏନେଇ ଅତିରିକ୍ତ ଏସପି ସୁରେନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତ ମାସ ୨୧ ତାରିଖରେ ନିଶା କାରବାରରେ ଲିପ୍ତ ଥିବା ପୋଲିସ କନୀ ବେହେରା, ସ୍ୱର୍ଣ୍ଣଲତା ବେହେରା, ଦମୟନ୍ତି ନାୟକ, କୁଳମଣି ବେହେରା ଓ ନୀଳମଣି ବେହେରାଙ୍କୁ ଗିରଫ କରିଥିଲା। କିନ୍ତୁ କନିର ପୁଅ ଶରତ ବେହେରାକୁ ଖୋଜୁଥିଲା। ଆଜି ସକାଳୁ ଶରତ ଓଡ଼ି-୦୨-୪୨୪୨ ନମ୍ବର ଗାଡ଼ିରେ ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ଖବର ପାଇ ପୋଲିସ ଚଢାଉ କରିଥିଲା। ଶରତ ଗାଡିରେ ବ୍ରାଉନସୁଗର ନେଇ ଯାଉଥିବା ସନ୍ଦେହ କରି ପୋଲିସ ସିଆଲିଆ ରାସ୍ତାରେ ପିଛା କରିଥିଲା। ଏହା ଜାଣିବା ପରେ ଘଟଣାସ୍ଥଳକୁ ଅଭିଯୁକ୍ତ ଗାଡ଼ି ଛାଡ଼ିଦେଇ ଫେରାର ହୋଇଯାଇଥିଲା। ପରେ ଗାଡ଼ିକୁ ଯାଞ୍ଚ୍ କରିବାରୁ ଏହା ଭିତରୁ ୨୨ ଲକ୍ଷ ଟଙ୍କା ଜବତ ହୋଇଛି। ପୋଲିସ ଗାଡ଼ି ଓ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
