ଦୂର ହେଲା ଅଚଳାବସ୍ଥା, କାର୍ଯ୍ୟରେ ଯୋଗ ଦେଲେ ଆଇନଜୀବୀ

ଦୂର ହେଲା ଅଚଳାବସ୍ଥା । ୨୦ ଦିନ ପରେ ଆଜି କାର୍ଯ୍ୟରେ ଯୋଗଦେଲେ ଆଇନଜୀବୀ । ଦୀର୍ଘ ଦିନ ପରେ ସ୍ବାଭାବିକ ହେଲା ହାଇକୋର୍ଟ ବାର୍ ଆସୋସିଏସନ ପରିସର । ଆଜିଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ହାଇକୋର୍ଟର ଆଇନଜୀବୀ । ଫୁଲ ବେଞ୍ଚରେ କୋର୍ଟ ବର୍ଜନ ଆନ୍ଦୋଳନରୁ ଓହରିବା ଓ କାର୍ଯ୍ୟରେ ଯୋଗ ଦେବା ନେଇ ଏକ ସତ୍ୟପାଠ ଦାଖଲ କରିଛି ହାଇକୋର୍ଟ ବାର୍ । ଏହି ସତ୍ୟାପାଠକୁ ଅନୁଧ୍ୟାନ କରିବା ପରେ ଆଇନଜୀବୀଙ୍କ ବିରୋଧରେ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାକୁ ପ୍ରତ୍ୟାହାର କରାଯାଇଛି । ପୂର୍ବରୁ ନୋଟିସ ହୋଇଥିବା ୬୮ଟି ବାର୍ ମଧ୍ୟରୁ ଆଜି କିଛି ବାର ନିଜ ପକ୍ଷ ରଖିଥିବା ବେଳେ, ଆସନ୍ତା ୨୯ ତାରିଖରେ ଅନ୍ୟ ବାର୍ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫୁଲ୍ ବେଞ୍ଚ ।

 

ସେପଟେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ସମସ୍ତ ୩୨ଟି ବାରରେ ପୂର୍ବ ଭଳି ଆନ୍ଦୋଳନ ଜାରି ରଖିବ ବୋଲି କହିଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଆସନ୍ତା ୮ ତାରିଖରେ ସୁପ୍ରିମ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ବାର୍ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Related Posts