ବଦନାମ୍ ଭୟରେ ହାତ ଖସେଇଲା ବିଜେଡି: ଗିରଫ ହେଲେ ପ୍ରମୋଦ

ସତ୍ୟପାଠ ବ୍ୟୁରୋ: କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ୍‌ ସୋସାଇଟି ସଭାପତି ତଥା ପୂର୍ବତନ ବିଜେଡି ସମ୍ପାଦକ ପ୍ରମୋଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ବଣିଆମାଳରେ ଥିବା ବାସଭବନରୁ ପ୍ରମୋଦଙ୍କୁ ଉଠାଇ ଆଣି ପଚରାଉଚୁରା କରୁଥିଲା ପୋଲିସ । ଆଜି ସକାଳୁ ପ୍ରମୋଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲା ରୁଜୁ ହେବାର ୩ ମାସ ଯାଏ ପୋଲିସ ଚୁପ୍‌ ଥିବାବେଳେ ହଠାତ କାଲି କାହିଁକି ପ୍ରମୋଦଙ୍କୁ ଘରୁ ଉଠେଇଆଣିଲା ତାକୁ ନେଇ ଉଠିଛି ପ୍ରଶ୍ନ ।  ଅନ୍ୟପଟେ ଗତକାଲି ବିଜେଡି ପକ୍ଷରୁ ପ୍ରେସ୍‌ମିଟ୍ କରାଯାଇ ପ୍ରମୋଦ ବିଜେଡିରେ ନାହାନ୍ତି ବୋଲି ସ୍ପଷ୍ଟ କରିଛି ଦଳ । ଏହା ପରେ ପ୍ରମୋଦଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନୁ ନେଇଥିବା କୁହାଯାଉଛି ।

କେବେଠୁ ବିଜେଡିରେ ନାହାନ୍ତି ପ୍ରମୋଦ ସାହୁ, ସ୍ପଷ୍ଟ କରିବେ କି ମୁଖପାତ୍ର ?

କଥା ଉଠିବା ପରେ ବଦନାମ ଭୟରେ ପ୍ରମୋଦ ସାହୁଙ୍କ କାନ୍ଧରୁ ହାତ ଖସେଇଲା ବିଜେଡି

ବିଜେଡି ହାତ ଛାଡ଼ିବା ପରେ ପ୍ରମୋଦଙ୍କୁ ଗିରଫ କଲା କି ପୋଲିସ ?

ପୂର୍ବରୁ ଶାସକ ଦଳର ଭୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଥିଲା କି ?

ତେବେ ଏତଲାର 3 ମାସ ଯାଏ କ’ଣ କରୁଥିଲା ପୋଲିସ ?

କାହିଁକି ଏତେ ଦିନ ଯାଏ ପଚରାଉଚରା କରୁନଥିଲା ପୋଲିସ ?

ପ୍ରମୋଦ ବିଜେଡିର ସମ୍ପାଦକ ଥିଲେ ବୋଲି ଚୁପ୍ ବସିଥିଲା କି ପୋଲିସ ?

କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ସଂପୃକ୍ତା ପୀଡ଼ିତା କେନ୍ଦ୍ରାପଡ଼ା ଟାଉନ ଥାନାରେ ଗତ ଏପ୍ରିଲ୍‌ ୩୦ ତାରିଖରେ ପ୍ରମୋଦଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ପ୍ରମୋଦ ତାଙ୍କୁ ମୋବାଇଲ୍‌ ଶିଖିବା ବାହାନାରେ ଚାମ୍ବର‌୍‌କୁ ଡାକି ଅସଦାଚରଣ କରିଛନ୍ତି । ବାରମ୍ବାର ଫୋନ୍‌ ତଥା ଭିଡିଓ କଲ୍‌ କରିବା, ଚାମ୍ବର‌୍‌କୁ ଡାକି ଅଶ୍ଳୀଳ ଇଙ୍ଗିତ କରିଥିବା ନେଇ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୀଡ଼ିତା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଗତ ଜୁଲାଇ ମାସରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପାଇଁ ଟାଉନ ଥାନାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୋଲିସ ଚତୁରତାର ସହ ପିଛିଲା ଭାବେ ଅଭିଯୋଗର ତିନି ମାସ ପରେ ଜୁଲାଇ ୨୩ ତାରିଖରେ ମାମଲା (କେସ୍‌ ନ˚ ୧୩୮/୨୦୧୯) ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦଫା ୫୦୯, ୩୫୪(ଖ)(୧), ୫୦୬ ଓ ୨୯୪ରେ ମାମଲା ରୁଜୁ କରିଥିଲା । ମାମଲା ରୁଜୁର ୩ ମାସ ଯାଏ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଥିଲା ।

ଶେଷରେ ଗତ ବୁଧବାର ସନ୍ଧ୍ୟାରେ ସିଆର୍‌ପିସି ୧୬୪ ଆଧାରରେ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଶନିବାର ପୀଡ଼ିତା ଲୋକାଲ ‌କମ୍ପ୍ଲେଣ୍ଟ କମିଟି (ଏଲ୍‌ସିସି)ରେ ହାଜ‌ର ହୋଇ ନିଜ ପକ୍ଷ ରଖିଥିଲେ । ପୀଡ଼ିତାଙ୍କଠାରୁ ନିର୍ଯାତନାର କାହାଣୀ ଶୁଣିବା ପରେ କମିଟି ଅଭିଯୁକ୍ତ ପ୍ରମୋଦଙ୍କୁ ଆସନ୍ତା ୬ ତାରିଖରେ ହାଜର ହେବାକୁ ନୋଟିସ ଦେଇଥିଲେ ହେଲେ କମିଟିରେ ହାଜର ହେବା ପୂର୍ବରୁ ଗତକାଲି ରାତିରେ ସ୍ବତନ୍ତ୍ର ସ୍କ୍ବାଡ ସହ ଟାଉନ ଥାନା ପୋଲିସ ପ୍ରମୋଦ ସାହୁଙ୍କ ବଣିଆମାଳରେ ଥିବା ଘରୁ ତାଙ୍କୁ ଉଠାଇ ଆଣିଥିଲା । ଏ ସମସ୍ତ ଘଟଣା ପଛରେ ରାଜନୀତି ରହିଛି । କାରଣ ପୂର୍ବରୁ ପ୍ରମୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ପୋଲସ ଚୁପ ବସିଥିବା ବେଳେ ଗତକାଲି ବିଜେଡିରେ ନଥିବା ଦଳ କହିବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସୂଚାଉଛି ଯେ ପୋଲିସର ଶାସକ ଦଳ ପ୍ରତି ଭୟ ଥିଲା ।

Related Posts