୩ ଘଣ୍ଟା ଅଟକ ରଖିବା ପରେ ଗୁଜୁରାଟ ଆପ୍ ମୁଖ୍ୟଙ୍କୁ ଛାଡ଼ିଲା ପୁଲିସ୍‌, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପର୍କରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗରେ ଫସିଥିବା ଆମ ଆଦମୀ ପାର୍ଟିର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦୀର୍ଘ ୩ ଘଣ୍ଟା ଅଟକ ରଖିବା ପରେ ଛାଡିଛି ଦିଲ୍ଲୀ ପୁଲିସ୍‌। ଆଜି ପୁଲିସ୍‌ ତାଙ୍କୁ ଜାତୀୟ ମହିଳା ଆୟୋଗଙ୍କ ଦିଲ୍ଲୀ କାର୍ଯ୍ୟାଳୟ ନିକଟରୁ ଉଠାଇ ନେଇଥିଲା।

ତେବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଶବ୍ଦ ପ୍ରୟୋଗ ଘଟଣାରେ ତାଙ୍କୁ କମିଶନ ଅଫିସ ପକ୍ଷରୁ ସମନ କରାଯାଇଥିଲା। ସେ ସମନ ଅନୁସାରେ ଆଜି କମିଶନଙ୍କ ନିକଟରେ ପହଞ୍ଚିବା ସହ ସେଠାରେ ପ୍ରତିବାଦ କରିଥିଲେ। ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା ତାଙ୍କୁ ଜେଲରେ ପୂରାଇ ଦେବାର ଧମକ ଦେବା ପରେ ଇଟାଲିଆଙ୍କୁ ପୁଲିସ୍‌ ନିକଟସ୍ଥ ସ୍ଥାନକୁ ଉଠାଇ ନେଇଥିଲା ବୋଲି ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହାକୁ ନେଇ ବିଜେପି ଓ ଆପ ମଧ୍ୟରେ ବାଦବିବାଦ ଚାଲିଥିବା ବେଳେ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଛି।

ପୋଲିସ ଛାଡ଼ିବା ପରେ ଇଟାଲିଆ କହିଛନ୍ତି ଯେ, “ମୋ କଥା ଶୁଣିବା ବଦଳରେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷା ପୁଲିସ୍‌କୁ ଡାକିଥିଲେ ଓ ମୋତେ ଥାନାକୁ ପଠାଇ ଦେଇଥିଲେ। ଏହା ପଟେଲ ସଂପ୍ରଦାୟ ବିରୋଧରେ ବିଜେପି ରଚନା କରୁଥିବା ଷଡ଼ଯନ୍ତ୍ରକୁ ଦର୍ଶାଉଛି। ସେମାନେ ଆମ ମଧ୍ୟରୁ ଅନେକଙ୍କୁ ଟାର୍ଗେଟ କରୁଛନ୍ତି। ପୁଲିସ୍‌ ମଧ୍ୟ ସ୍ୱୀକାର କରିଛି ଯେ ମୋତେ ଅଟକ ରଖିବାକୁ ଉପରକୁ ନିର୍ଦ୍ଦେଶ ମିଳିଥିଲା। ମୁଁ ଅଫିସରେ ପହଞ୍ଚିବା ପରେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ମୋତେ ଦୁର୍ବ୍ୟବହାର କରିଥିଲେ। ମୁଁ କେବଳ ହାତ ଯୋଡ଼ି ସେଠାରୁ ଚାଲି ଆସିଥିଲି।”

ତେବେ ଏହାପୂର୍ବରୁ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା ଆପ୍‌ କର୍ମୀମାନେ ତାଙ୍କ ଅଫିସ ଆଗରେ ଭିଡ଼ ଜମାଇ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ଅଭିଯୋଗ କରିଥିଲେ। ଏହାପରେ ଇଟାଲିଆଙ୍କୁ ଅଟକ ରଖାଯାଇଥିଲେ। ଏହି ଘଟଣାକୁ ନେଇ ଆପ୍‌ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ, ଏବେ ସୋଶାଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡିଓଟି ୨୦୧୮ ମସିହାର ବୋଲି କୁହାଯାଉଛି। ଏଥିରେ ଇଟାଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ନିଚ୍‌ ଆଦମୀ’ ବୋଲି କହୁଥିବା ଦାବି କରାଯାଇଛି। ହେଲେ ଭିଡିଓର ସତ୍ୟତା ସମ୍ପର୍କରେ କିଛି ବି ଜଣାପଡ଼ିନି। ଏହି ଭାଇରାଲ ଭିଡିଓକୁ ଆଧାର କରି ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଆଜି ହାଜର ହେବାକୁ ଇଟାଲିଆଙ୍କୁ ସମନ କରାଯାଇଥିଲା।

Related Posts