ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତ୍ରାହିଅଚ୍ୟୁତ ଆଶ୍ରମରେ ଚାଲିଲା ବୁଲଡୋଜର । ବେଆଇନ ଭାବେ ନିର୍ମାଣ ହୋଇଥିବା ଅଟ୍ଟାଳିକାକୁ ଭାଙ୍ଗିଛି ବିଡିଏ । ଝିଂଟି ସ୍ଥିତ ତ୍ରାହି ଅଚ୍ୟୁତ ନଗରରେ ବେଆଇନ୍ ଭାବେ ୨୧ଟି ଡୁପ୍ଲେକ୍ସ ନିର୍ମାଣ କରାଯାଇଛି। ଏଥିରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଡୁପ୍ଲେକ୍ସ ଘରକୁ ଆଜି ଭାଙ୍ଗିଛି ବିଡିଏ ।ବିଡିଏର ମିଳିତ ଏନ୍ଫୋର୍ସମେଂଟ ଟିମ୍ ଏହି ଡୁପ୍ଲେକ୍ସ ଗୁଡ଼ିକୁ ଉଚ୍ଛେଦ କରୁଛନ୍ତି । ଏହି ଡୁପ୍ଲେକ୍ସ ଗୁଡ଼ିକ ବେଆଇନ ଭାବେ ବିନା ଅନୁମତିରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା । କୋର୍ଟରେ ମାମଲା ପରେ ଏଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ୍ ସୁରବାବା ଏହାକୁ ନିର୍ମାଣ କରିଥିଲେ । ବିଭିନ୍ନ ବିବାଦରେ ଛନ୍ଦି ହୋଇ ୨୦୧୫ରେ ସୁରବାବା ଗିରଫ ହୋଇଥିଲେ । ସେହି ସମୟରେ ଏହି ଘଟଣା ବେଶ୍ ଚର୍ଚ୍ଚା ହେବା ସହ ବିବାଦରେ ରହିଥିଲା । ଏହି ଘଟଣାରେ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଂଚି ମଧ୍ୟ ଗିରଫ ହୋଇଥିଲେ । ୨୦୨୦ ମସିହାରେ ଶାରୀରିକ ଅସୁସ୍ଥତା ଯୋଗୁ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ ହୋଇଛି ।
