ଦୁର୍ଘଟଣାର ୫୧ ଘଣ୍ଟା ପରେ ବାହାନଗାରେ ସ୍ୱାଭାବିକ ହେଲା ରେଳ ଚଳାଚଳ

ଭୁବନେଶ୍ୱର,୫/୬(ସତ୍ୟପାଠ ବ୍ୟୁରୋ): ମର୍ମନ୍ତୁଦ ଦୁର୍ଘଟଣା ପରେ ବାହାନଗାରେ ସ୍ୱାଭାବିକ ହେଲା ଟ୍ରେନ୍‌ ଚଳାଚଳ । ଟ୍ରାକରେ ଗଡିଛି ଟ୍ରେନ୍‌ । ସୋମବାର ଦିନ ସକାଳୁ ସକାଳୁ ଟ୍ରାକରେ ଗଡିଛି ତିନୋଟି ଟ୍ରେନ୍‌ । ଖବର ଅନୁଯାୟୀ, ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି ।

ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି । ଟ୍ରାକରେ ଯିବା ସମୟରେ ଟ୍ରେନର ଗତି ଅତି କମ୍ ରହିଥିଲା । ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି ସେମାନେ ଏହି ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଉଛନ୍ତି । ଏହାଛଡା ମାଲବାହୀ ଗାଡ଼ି ବି ଗଡୁଛି । ଶନିବାର ରାତିରେ ଦୁର୍ଘଟଣାର ୫୧ ଘଣ୍ଟା ପରେ ପରୀକ୍ଷାମୂଳକ ଭାବେ ପ୍ରଥମେ ମାଲବାହି ଟ୍ରେନ୍‌ ଗାଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ବାହାନଗା ଟ୍ରେନ୍‌ ଟ୍ରାଜେଡି ଘଟଣାରେ ତଦନ୍ତ ସିବିଆଇ କରିବ । ଏନେଇ ରେଳ ବିଭାଗ ସୁପାରିଶ କରିଛନ୍ତି ବୋଲି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଏବେ ଯାଏଁ ଦୁର୍ଘଟଣାରେ ମୋଟ ୨୭୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକଙ୍କ ଆହତ ହୋଇଛନ୍ତି । ବିଭିନ୍ନ ମେଡିକାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି ।

Related Posts