
ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ହୋଇପାରେ। ଏଥି ନେଇ ଭାରତୀୟ ରେଲୱେ ବୋର୍ଡ ସିବିଆଇକୁ ସୁପାରିସ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି।କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା? ଏଥି ପାଇଁ କେଉଁମାନେ ଦାୟୀ? ଏହାର ବିସ୍ତୁତ ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ବର, ଭଦ୍ରକ, ସୋରର ସାଧାରଣ ଜନତାଙ୍କ ସମେତ ରେଳବାଇ ଓ ଜିଲ୍ଲାପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ମୁଖ୍ୟ ଲାଇନ୍ ସମେତ ୨ଟି ଲାଇନ୍ କାମ ଶେଷ ହୋଇଛି। ବିଦ୍ୟୁତ କାମ ଜାରି ରହିଛି। କଟକ, ବାଲେଶ୍ବର ଓ ଭଦ୍ରକ ଡାକ୍ତରଖkନାରେ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କୁ ଭେଟିଛି। ଆହତଙ୍କୁ ଭଲ ଚିକିତ୍ସା ଦିଆଯାଉଛି। ଦେଶବ୍ୟାପି ଯେଉଁଠାରୁ ଯାତ୍ରୀମାନେ ଆସିଥିଲେ, ସେମାନଙ୍କର ପରିବାର ସହିତ ରେଳବାଇ ଓ ସରକାର ସଂପର୍କରେ ଅଛନ୍ତି।
ଏହା ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ବାହାନଗାରେ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାରେ ଆମେ ଯେଉଁମାନଙ୍କୁ ହରାଇଛେ, ସେମାନଙ୍କୁ ଆଉ ପାଇପାରିବା ନାହିଁ। ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୟଙ୍କର ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ, ସମୋନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାନଗାରେ ଦୁର୍ଘଟଣାସ୍ଥଳ ଏବଂ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଥିଲେ।