୫ ରାଜ୍ୟରେ ବିଫଳତା ପରେ କଂଗ୍ରେସ ପାର୍ଟି ଭିତରେ ବଢିଲା କନ୍ଦଳ, G-୨୩ ରେ ମିଶିଲେ ୩ ନୂଆ ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟର ବିଧାନସଭା ଫଳାଫଳ ସାମ୍ନାକୁ ଆସିବା ପରେ କଂଗ୍ରେସ ଦଳରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠୁଛି । ଏନେଇ କିଛି ନେତା ସପକ୍ଷରେ ଥିବାବେଳେ ଆଉ କିଛି ଏହାର ବିପକ୍ଷରେ ରହିଛନ୍ତି । ଏହା ମଧ୍ୟରେ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତୃତ୍ୱ ଏବଂ ଅସନ୍ତୁଷ୍ଟ ଜି -୨୩ ଗୋଷ୍ଠୀ ମଧ୍ୟରେ ପ୍ରଥମ ଯୋଗାଯୋଗରେ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସହ କଥା ହୋଇଥିବାର ସୂଚନା ମିଳିଛି । ସେପଟେ ଜି -୨୩ ନେତାମାନେ କହିଛନ୍ତି ଯେ ଦଳ ପାଇଁ ଏକମାତ୍ର ଉପାୟ ହେଉଛି ସାମୂହିକ ତଥା ଅନ୍ତର୍ଭୂକ୍ତ ନେତୃତ୍ୱ ଏବଂ ନିଷ୍ପତ୍ତି ଗ୍ରହଣର ଏକ ମଡେଲ ଗ୍ରହଣ କରିବା। କିଛି ଜି -୨୩ ନେତା ଆଜାଦଙ୍କ ବାସଭବନରେ ରାତ୍ରୀ ଭୋଜନ ପାଇଁ ଭେଟିଥିଲେ। ତିନିଜଣ ନବାଗତ ମଧ୍ୟ ପହଞ୍ଚିଛନ୍ତି – ଭେଟେରାନ ନେତା ମଣି ଶଙ୍କର ଆୟାର, ଲୋକସଭା ସାଂସଦ ତଥା ପଞ୍ଜାବର ପୂର୍ବତନ ସିଏମ ଅମରିନ୍ଦର ସିଂଙ୍କ ପତ୍ନୀ ପରନୀତ କୌର ଏବଂ ୨୦୧୭ ରେ କଂଗ୍ରେସ ଛାଡିଥିବା ଗୁଜୁରାଟର ନେତା ଶଙ୍କରସିନ ଭାଗେଲା। ଭାଗେଲା ୨୦୧୯ ରେ ଏପସିପିରେ ଯୋଗ ଦେଇଥିଲେ । କିନ୍ତୁ ଗତ ବର୍ଷ ଛାଡିଥିଲେ । ସେ କଂଗ୍ରେସକୁ ଫେରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି।

ପ୍ରଥମ ଥର ପାଇଁ ୧୮ ଜଣ ନେତାଙ୍କ ଦସ୍ତଖତ ଦେଇଥିବା ବିବୃତ୍ତି ଦେଇ ବୈଠକକୁ ସାର୍ବଜନୀନ କରିଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା ନିର୍ବାଚନର ସାମ୍ପ୍ରତିକ ଫଳାଫଳର ଦୁଃଖଦ ପରିସ୍ଥିତି ଏବଂ ଉଭୟ କର୍ମୀ ଏବଂ ନେତାଙ୍କର ବାରମ୍ବାର ଦଳକୁ ଛାଡ଼ିବା ନେଇ ଏହି ବୈଠକ କରିଥିଲୁ । ଆମେ ବିଶ୍ୱାସ କରୁ ଯେ ସାମୂହିକ ତଥା ଅନ୍ତର୍ଭୂକ୍ତ ନେତୃତ୍ୱ ଏବଂ ନିଷ୍ପତ୍ତି ଗ୍ରହଣର ଏକ ମଡେଲ ଗ୍ରହଣ କରିବା ସବୁ ସ୍ତରରେ କଂଗ୍ରେସ ପାର୍ଟି ପାଇଁ ଏକମାତ୍ର ମାର୍ଗ ବୋଲି ବୈଠକରେ ଉପସ୍ଥିତି ନେତାମାନେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ବିଜେପିକୁ ବିରୋଧ କରିବା ପାଇଁ କଂଗ୍ରେସ ଦଳକୁ ମଜବୁତ କରିବା ଆବଶ୍ୟକ। ୨୦୨୪ ପାଇଁ ଏକ ବିଶ୍ୱସନୀୟ ବିକଳ୍ପ ପାଇଁ ରାସ୍ତା ତିଆରି କରିବାକୁ ଏକ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଅନ୍ୟ ସମାନ ଚିନ୍ତାଧାରା ବିଶିଷ୍ଟ ଶକ୍ତିଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ଆମେ କଂଗ୍ରେସ ଦଳକୁ ଅନୁରୋଧ କରୁଛୁ । ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ, ପ୍ରୀତିରାଜ ଚାବନ, ମନୀଷ ତେୱାରୀ, ଭୁପିନ୍ଦର ସିଂ ହୁଡା, ଅଖିଳେଶ ପ୍ରସାଦ ସିଂ, ରାଜ ବାବର, ଭାଗେଲା, ଆଇୟର, ଶଶି ଥରୁର, ପିଜେ କୁରିଏନ୍, ଏମ.ଏ ଖାନ, ରାଜୀନ୍ଦର କୌର ଭଟ୍ଟଲ, ସନ୍ଦୀପ ଦୀପକ, କୁଲଦୀପ ଶର୍ମା ଏବଂ ପରନୀତ କୌର ଦସ୍ତଖତକାରୀଙ୍କ ମଧ୍ୟରେ ଥିଲେ । ଅନ୍ୟପଟେ ଆମେ ଦଳ ସେପର୍ଯ୍ୟନ୍ତ ଛାଡ଼ିବୁ ନାହିଁ ଯେପର୍ଯ୍ୟନ୍ତ ଦଳ ଆମକୁ କାଢ଼ି ନାହିଁ ଦଳ ଗଣତାନ୍ତ୍ରିକ ହେବା ଉଚିତ ବୋଲି ଆମେ ଜିଦ୍ ଜାରି ରଖିବୁ। ଏବଂ ଦଳକୁ ଗଣତାନ୍ତ୍ରିକରଣ କରିବା ଏବଂ ଏହାକୁ ୨୦୨୪ ପାଇଁ ବିଜେପିର ଏକ ବିଶ୍ୱସନୀୟ ବିକଳ୍ପ ଭାବେ ପରିଣତ କରିବା ପାଇଁ, ଆମେ ଉପରୋକ୍ତ ଲକ୍ଷ୍ୟଗୁଡ଼ିକ ଉପରେ ଜନସାଧାରଣଙ୍କ ମତାମତ ପାଇବା ପାଇଁ ଦେଶ ଭ୍ରମଣ କରିବୁ ବୋଲି ବୈଠକରେ ଉପସ୍ଥିତ ଥିବା ଜଣେ ନେତା ସ୍ପଷ୍ଟ କରିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts