ଆକାଶରୁ ଝରୁଛି ନିଆଁ ବର୍ଷା: ଆଜି ବି ଟାଣ ଖରା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଂଚଳିକ ପାଣିପାଗ କେନ୍ଦ୍ର

ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମର ପ୍ରକୋପ | ଆକାଶରୁ ଯେପରି ନିଆଁ ବର୍ଷା ହେବା ଆରମ୍ଭ ହୋଇଗଲାଣି | ଟାଣ ଖରା ସାଙ୍ଗକୁ ଗୁଲୁମୁଲ ରେ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ | ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ବାଲେଶ୍ୱର ଓ ମୟୂରଭଂଜ ଆଦି ୯ଟି ଜିଲ୍ଲାରେ ଟାଣ ଖରା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଖରା ବଢୁଥିବାରୁ ଅଂଶୁଘାତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଦେଇଛି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ । ଗତକାଲି ରାଜ୍ୟର ତିନି ସହରରେ ୪୦ ଡେଇଁଥିଲା ଦିନ ତାପମାତ୍ରା । ୪୦ ଦଶମିକ ୫ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିଲା । ଟିଟଲାଗଡ଼ରେ ୪୦ ଦଶମିକ ୨ ଡିଗ୍ରୀ, ଅନୁଗୁଳରେ ୪୦ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ୮ ସହରରେ ୩୯ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଥିଲା ।

ଅନ୍ୟପକ୍ଷରେ ଭାରତୀୟ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମାର୍ଚ୍ଚ ୧୬ ଭୋର ୩ଟା ସୁଦ୍ଧା ଏହା ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି । ଏହା କ୍ରମଶଃ ପୂର୍ବ, ଉତ୍ତର-ପୂର୍ବ ଦିଗରେ ଗତି କରି ୧୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।

ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଉପକୂଳରେ ଏକ ଅବପାତରେ ପରିଣତ ହୋଇ ପରଦିନ ଅର୍ଥାତ ମାର୍ଚ୍ଚ ୨୧ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବ । ୨୨ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଧୀରେ ଧୀରେ ଉତ୍ତର-ପୂର୍ବ ଦିଗରେ ଗତି କରି ୨୩ ତାରିଖରେ ବାଂଲାଦେଶ ଓ ମିଆଁମାର ଉପକୂଳରେ ପହଞ୍ଚିବା ନେଇ ଆକଳନ କରାଯାଇଛି ।

Related Posts