୩ ରାଜ୍ୟର ୯ ଟି ବ୍ୟାରିକେଡ ଭାଙ୍ଗିବା ପରେ ପୋଲିସ ହାତରେ ଧରା ପଡିଲା ଦୁର୍ବୁତ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଦ୍ୱିତୀୟ ସଂକ୍ରମଣ ଯୋଗୁଁ ଆନ୍ଧ୍ର ପ୍ରଦେଶ, ଓଡିଶା, ଛତ୍ତିଶଗଡ଼ ରାଜ୍ୟ ଗୁଡ଼ିକର ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରା ଯାଇଛି। ତେବେ ଏପରି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଣେ ଦୁର୍ବୁତ୍ତ ୩ ରାଜ୍ୟର ପୋଲିସ କୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରି ୩ ରାଜ୍ୟର ୯ ଟି ବ୍ୟାରିକେଡ ଭାଙ୍ଗିବା ପରେ ଶେଷରେ ପଡ଼ୋଶୀ ଛତ୍ତିଶଗଡ଼ର ଏକ ଯବାନ କ୍ୟାମ୍ପ କବଜାରେ ପଡିଛି। ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ୨ ଟା ବେଳେ ଧଳା ରଙ୍ଗର ଏମ୍ ଏଚ୍ ୨୭ ଡିଏ ୬୩୩୨ ନମ୍ବର ବିଶିଷ୍ଟ ସ୍କର୍ପିଓ ଗାଡି ପଡୋଶୀ ଆନ୍ଧ୍ରପ୍ରଦେଶ ର ଚିନ୍ତୁର ଅଞ୍ଚଳରେ ଜଣ ପୋଲିସ କର୍ମଚାରୀ ଙ୍କୁ ଧକ୍କା ଦେଇ ଓଡିଶା ଓ ଛତ୍ତିଶଗଡ଼ ହୋଇ ନିଜ ରାଜ୍ୟକୁ ଖସି ଯିବାକୁ ଉଦ୍ୟମ କରୁଥିଲା। ତେବେ ଓଡିଶା ସୀମାବର୍ତ୍ତୀ ପଡିଆ ଓ ପଡୋଶୀ ଛତ୍ତିଶଗଡ଼ ର ଇଞ୍ଜାରାମ ପୋଲିସ ସମେତ – ଫାଣ୍ଡିଗୁଡା ସ୍ଥିତ ୨୨୮ ସିଆରପିଏଫ ବାଟାଲିୟନ ସହଯୋଗରେ ଫାଣ୍ଡିଗୁଡା ଠାରେ ଏହି ଗାଡିକୁ ରୋକାଯାଇ ଥିଲା।ବ୍ୟାରିକେଡ ଭାଙ୍ଗି ଖସିବାକୁ ଉଦ୍ୟମ କରୁଥିବା ବେଳେ ଫାଣ୍ଡିଗୁଡା ଠାରେ ଯବାନ ମାନେ କୌଶଳ ପୂର୍ବକ ଫାଇରିଂ କରିଥିଲେ। ଏଥିରେ ଗାଡି ଚଳାଉଥିବା ବ୍ୟକ୍ତି ଜଣ ଙ୍କ ଅଣ୍ଟାରେ ଆଘାତ ହେବାରୁ ଗାଡିଟି ଅଟକାଇଥିଲେ। ଏହାପରେ ସେହି ଲୋକ ଗାଡି ଅଟକାଇବାରୁ ଯବାନ ମାନେ ଲୋକଟିକୁ କାବୁ କରି ନେଇଥିଲେ। ଏହି ସ୍କର୍ପିଓ ଟି ମହାରାଷ୍ଟ୍ର ର ହୋଇଥିବା ବେଳେ ଲୋକ ଟି ମଧ୍ଯ ଅମରାବତୀ ଅଞ୍ଚଳର ବୋଲି କୁହାଯାଇଛି। ତେବେ ଲୋକଟି କେଉଁ ଉଦ୍ଦେଶ୍ଯରେ ଏଭଳି ଅଘଟଣ ଘଟାଇଲା ତାହା ସ୍ପଷ୍ଟ ଜଣାପଡ଼ି ନଥିବା ବେଳେ ପୋଲିସ ପଚରାଉଚୁରା ପରେ ଜଣାପଡିବ କୁହାଯାଇଛି।

Related Posts