
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : କରୋନା ମହାମାରୀର ଦ୍ୱିତୀୟ ଲହରରେ ସାରା ଦେଶ ବର୍ତ୍ତମାନ ଛଟପଟ ହେଉଛନ୍ତି। ଡକ୍ଟର ଓ ବିଶେଷଜ୍ଞଙ୍କ ମତ ହେଉଛି ମାସ୍କ, ସାମାଜିକ ଦୂରତା ଓ ଟିକା ଦ୍ବାରା ହିଁ କରୋନାକୁ ରୋକା ଯାଇପାରିବ । କିନ୍ତୁ ମଧ୍ୟପ୍ରଦେଶର ବିଜେପି ସରକାରରେ ସଂସ୍କୃତି ମନ୍ତ୍ରୀ ଉଷା ଠାକୁରଙ୍କ ଏକ ବୟାନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ମନ୍ତ୍ରୀ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି, ” ପରିବେଶ ବିଶୋଧନ କରିବା ପାଇଁ ଯଜ୍ଞ କରିବା ଦରକାର। ଏହା ଦ୍ବାରା କୋଭିଡ୍ ର ତୃତୀୟ ଲହରକୁ ରୋକା ଯାଇପାରିବ। ପୁରାତନ କାଳରୁ ମହାମାରୀକୁ ଦୂର କରିବା ପାଇଁ ଯଜ୍ଞ କରାଯାଉଛି। ତେଣୁ କରୋନାରୁ ରକ୍ଷା ପାଇବାକୁ ହେଲେ ଆମ ସମସ୍ତଙ୍କୁ ଯଜ୍ଞ କରିବାକୁ ପଡ଼ିବ । ” ସେ ଆହୁରି ମଧ୍ୟ କହିଛନ୍ତି ଯେ , “ଆମେ ସମସ୍ତଙ୍କୁ ନିବେଦନ କରିବାକୁ ଚାହୁଁଛୁ ଯେ ସେମାନେ ଯଜ୍ଞ କରନ୍ତୁ ଏବଂ ଆହୂତି ଦିଅନ୍ତୁ। ଏହାଦ୍ୱାରା ପରିବେଶ ବିଶୋଧନ ହୋଇପାରିବ। ” ମନ୍ତ୍ରୀ ଦାବି କରିଛନ୍ତି ଯେ ଏପରି କଲେ ଆମ ଦେଶକୁ କୋଭିଡର ତୃତୀୟ ଲହରକୁ ରୋକି ପାରିବା । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର କୋଭିଡ୍ ର ତୃତୀୟ ଲହର ନେଇ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । କୁହାଯାଉଛି ତୃତୀୟ ଲହର ଛୋଟ ପିଲାମାନଙ୍କୁ ଆକ୍ରାନ୍ତ କରିବ। ଏହାର ମୁକାବିଲା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ନିକଟ ଅତୀତରେ ସେ ଏକ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଥିବାବେଳେ ମାସ୍କ ନ ପିନ୍ଧି ସମାଲୋଚନାର ଶିକାର ହୋଇଥିଲେ।