ହାଇଦରର ମୃତ୍ୟୁ ପରେ ଜୁଲାଇ ୩୦ ଯାଏଁ କେନ୍ଦ୍ରାପଡ଼ାରେ ଧାରା ୧୪୪ ଜାରି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଶନିବାର ଦିନ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ଘଟିବା ପରେ ଏବେ କେନ୍ଦ୍ରାପଡ଼ାରେ ଧାରା ୧୪୪ ଜାରି କରାଯାଇଛି। ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କେନ୍ଦ୍ରାପଡ଼ା ସହରରେ ୧୪୪ ଧାରା ଲଗାଇଛନ୍ତି। 

ଶନିବାର ରାତି ୧୧ଟାରୁ ଜୁଲାଇ ୩୦ ସକାଳ ୧୧ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। କେନ୍ଦ୍ରାପଡ଼ା ପୌରାଞ୍ଚଳ ସମେତ ଏହାର ନିକଟସ୍ଥ ୪ଟି ପଞ୍ଚାୟତ- ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧରରେ ବି କଟକଣା ଲଗାଯାଇଛି। 

କୌଣସି ଅଘଟଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। କଟକଣା ଯୋଗୁଁ ଏହି ସ୍ଥାନ ଗୁଡିକରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। କଟକଣା ଲଗାଯାଇଥିବା ଅଞ୍ଚଳରେ ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ଏହି ସମୟ ମଧ୍ୟରେ କେବଳ ଗ୍ରୋସେରୀ, ପରିବା ଓ ଆମିଷ ଦୋକାନ ଖୋଲା ରହିବା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଅନ୍ୟପକ୍ଷରେ ରବିବାର ଦିନ ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ହେବ। ଗତ କାଲି ଏନକାଉଣ୍ଟର ପରେ ବାଲେଶ୍ୱରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ପରେ ସେଠାରେ ତା’ର ମୃତଦେହ ରହିଛି। ରବିବାର ଅର୍ଥାତ୍ ଆଜି ସେଠାରେ ହିଁ ତାହାର ଶବ ବ୍ୟବଚ୍ଛେଦ କରାଯିବ। ଏହା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ଗତକାଲି ପୁଲିସକୁ ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ ବେଳେ ପୁଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ଘଟିଛି । ଗତକାଲି ଚୌଦ୍ୱାର ଜେଲରୁ କଡା ସୁରକ୍ଷା ମଧ୍ୟରେ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ତା ସୁରକ୍ଷା ଦାୟିତ୍ୱରେ ଥିଲେ ଜଣେ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟର ଓ ଗୋଟିଏ ସେକ୍ସନ ସଶସ୍ତ୍ର ବଳ।  ସମୟ ଅପରାହ୍ଣ ୩ଟା ୨୦ମିନିଟ୍ । ଏହି ସମୟରେ ବାଲେଶ୍ୱରର ସିମୁଳିଆ ନିକଟରେ ପହଞ୍ଚିବା ପରେ ପରିସ୍ରା ବାହାନା କରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର ।

ପୁଲିସ କମିଶନରଙ୍କ ସୂଚନା ଅନୁସାରେ ଗାଡ଼ିରୁ ଓହ୍ଲାଇବା ବେଳେ ସୁରକ୍ଷାକର୍ମୀଙ୍କଠାରୁ ବନ୍ଧୁକ ଛଡାଇ ଖସି ଯିବାକୁ ଉଦ୍ୟମ କରିଥିଲା ହାଇଦର। ପୁଲିସକୁ ଚକମା ଦେଇ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ତାକୁ ଚେତାବନୀ ଦେଇଥିଲା ପୋଲିସ । କିନ୍ତୁ ନିର୍ଦ୍ଦେଶ ନମାନିବାରୁ ହାଇଦରକୁ ବାଧ୍ୟ ହୋଇ ପୁଲିସ ଗୁଳି କରିଥିଲା ବୋଲି କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ଗୁଳି ସିଧା ଯାଇ ହାଇଦରର ପେଟରେ ବାଜିଥିଲା । ହାଇଦରକୁ ଗୋଟିଏ ହିଁ ଗୁଳି କରାଯାଇଥିବା ନେଇ ପୁଲିସ କମିଶନର ସୂଚନା ଦେଇଛନ୍ତି । ତାକୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। 

Related Posts