ସ୍ତ୍ରୀ ଓ ପୁଅଙ୍କ ଅଭିଯୋଗ – ହାଇଦରକୁ ମାରିଦେଲା ପୁଲିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟର ସେକ୍ ହାଇଦରର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ପୁଲିସ ଏହାକୁ ଏନକାଉଣ୍ଟର କହୁଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ହେଉଛି ପୁଲିସ ତାକୁ ଗୁଳି କରି ମାରି ଦେଇଛି। ହାଇଦରର ପୁଅ ସେକ୍‌ ଚୁନେଇ କହିଛି ଯେ ପୁଲିସ ତା ବାପାଙ୍କୁ ଜିରୋ ପଏଣ୍ଟରୁ ଗୁଳି କରିଛି । ତାଙ୍କ ମୃତ୍ୟୁ ସମ୍ପର୍କରେ ପୁଲିସ କିମ୍ବା ପ୍ରଶାସନ ତାଙ୍କ ପରିବାର ଲୋକଙ୍କୁ କୌଣସି ସୂଚନା ଦିଆଯାଇନାହିଁ। 

 କଟକର ଚୌଦ୍ବାର ଜେଲରୁ ବାରିପଦା ଜେଲ୍‌କୁ ସ୍ଥାନାନ୍ତରଣ କରାଯିବା ପୂର୍ବରୁ ମଧ୍ୟ ପରିବାର ଲୋକଙ୍କୁ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି । ତାଙ୍କ ମୃତ୍ୟୁ ସମ୍ପର୍କରେ ସେମାନେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ ବୋଲି ହାଇଦରର ପୁଅ ଚୁନେଇ କହିଛନ୍ତି।

ସେ ପୁଲିସ ବିରୋଧରେ ମଧ୍ୟ ସଂଗିନ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ହେଉଛି, ହାଇଦର କଟକ ଏସସିବି ମେଡିକାଲରୁ ଫେରାର ହୋଇଥିବା ନେଇ ପୁଲିସ ପକ୍ଷରୁ ସେତେବେଳେ ବି ମିଛି କହି ତାଙ୍କୁ ଫସାଇ ଦିଆଯାଇଥିଲା ବୋଲି ଚୁନେଇ ଅଭିଯୋଗ କରିଛି। 

ସେ କହିଛି ଯେ, ” ଏସସିବି ମେଡିକାଲ୍‌ ଭିତରେ ବାପା ଥିବା ବେଳେ ତାଙ୍କୁ ମିଛରେ ତେଲେଙ୍ଗାନାରୁ ଧରିଲେ ବୋଲି ପୁଲିସ କହିଥିଲା। ସେତେବେଳେ କମିସନରେଟ୍‌ ପୁଲିସ ତାଙ୍କ ଘରକୁ ଆସିଥିଲା । ଏବଂ ହାଇଦରକୁ ଆମେ ଦୁଇରୁ ତିନି ମାସ ମଧ୍ୟରେ ମାରିବୁ ଓ ତିନି ପୁଅଙ୍କୁ ମଧ୍ୟ ମାରିବୁ ବୋଲି ଧମକ ଦେଇ ଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। 

 ଅନ୍ୟପଟେ ହାଇଦରର ସ୍ତ୍ରୀ ହସିନା ବିବି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀଙ୍କୁ ପୁଲିସ ମାରିଦେଇଛି। ହାଇଦରଙ୍କ ମୃତଦେହକୁ ତାଙ୍କୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି।

ଅପରପକ୍ଷରେ ହାଇଦରର ଏନକାଉଣ୍ଟର ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦେଇଛି। ହାଇଦର ଗାଁରେ ଉତ୍ତେଜନା ଆଶଙ୍କାରେ ପୁଲିସ ପକ୍ଷରୁ କେନ୍ଦ୍ରାପଡ଼ା ପୌରାଞ୍ଚଳ ସମେତ ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଞ୍ଚାୟତରେ ମଧ୍ୟ ୧୪୪ ଧାରା ଲାଗୁ ହୋଇଛି । ଏହି କଟକଣା ଶନିବାର ଅର୍ଥାତ୍ ୨୪ ତାରିଖ ରାତି ୧୧ଟାରୁ ଜୁଲାଇ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ବଳବତର ରହିବ ।

ଏହି ସମୟରେ କୌଣସି ସ୍ଥାନରେ ୫ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ତେଜରାତି, ପରିବା ଓ ମାଛ ଦୋକାନ ଖୋଲା ରହିବ । ଅନ୍ୟ ଦୋକାନ ବନ୍ଦ ରହିବ । ଦିନ ୧୧ଟା ପରେ ଗାଡି ଚଳାଚଳ ଉପରେ କଟକଣା ରହିବ । 

ସୂଚନାଯୋଗ୍ୟ ଯେ, ଗତକାଲି ପୁଲିସକୁ ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ ବେଳେ ପୁଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ଘଟିଥିଲା । ଶନିବାର ଦିନ କଟକର ଚୌଦ୍ୱାର ଜେଲରୁ କଡା ସୁରକ୍ଷା ମଧ୍ୟରେ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । 

  ଏହି ସମୟରେ ବାଲେଶ୍ୱରର ସିମୁଳିଆ ନିକଟରେ ପହଞ୍ଚିବା ପରେ ପରିସ୍ରା ବାହାନା କରି ଗ୍ୟାଙ୍ଗଷ୍ଟାର ହାଇଦର ଖସିଯିବା ପାଇଁ ପ୍ରୟାସ କରିଥିଲା । ପୁଲିସ କମିଶନରଙ୍କ ସୂଚନା ଅନୁସାରେ ଗାଡ଼ିରୁ ଓହ୍ଲାଇବା ବେଳେ ସୁରକ୍ଷାକର୍ମୀଙ୍କଠାରୁ ବନ୍ଧୁକ ଛଡାଇ ଖସି ଯିବାକୁ ଉଦ୍ୟମ କରିଥିଲା ହାଇଦର। ପୁଲିସକୁ ଚକମା ଦେଇ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ତାକୁ ଚେତାବନୀ ଦେଇଥିଲା ପୋଲିସ । 

କିନ୍ତୁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ନମାନିବାରୁ ହାଇଦରକୁ ବାଧ୍ୟ ହୋଇ ପୁଲିସ ଗୁଳି କରିଥିଲା ବୋଲି କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।ତାକୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। 

Related Posts