ନବୀନ ବାବୁଙ୍କ ପରେ ବିଜେଡିରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ସେ ହିଁ ନବ ଦାସଙ୍କୁ ମାରିଛନ୍ତି: ପ୍ରଦୀପ ପୁରୋହିତ

ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଏବେ ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଘଟଣା ହୋଇଥିବାବେଳେ ଏହାକୁ ନେଇ ରାଜନୈତିକ ବୟାନବାଜି ଚାଲିଛି। ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ବିରୋଧୀ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏସବୁ ଭିତରେ ବିଜେପି ନେତା ପ୍ରଦୀପ ପୁରୋହିତ ଏକ ବଡ଼ ବୟାନ ଦେଇଛନ୍ତି। ନବୀନ ବାବୁଙ୍କ ଆବର୍ତ୍ତମାନରେ ବିଜେଡ଼ିର ଯିଏ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି ସେ ହିଁ ନବଙ୍କ ହତ୍ଯାକାରୀ ବୋଲି ପ୍ରଦୀପ ଆରୋପ ଲଗାଇଛନ୍ତି।

ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେଡ଼ିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଲୋକ ହିଁ ହେଲା ନବଙ୍କ ପାଇଁ କାଳ। ନବୀନ ବାବୁଙ୍କ ପରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେହି ବିବାଦ ହିଁ ନବ ଦାସଙ୍କ ହତ୍ୟାର କାରଣ । ନବ ଦାସ ଶନି ମନ୍ଦିର କାହିଁକି ଯାଇଥିଲେ। ସେ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ, ତାଙ୍କର ଭଲ ପାଇସା ବି ଥିଲା। ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ହେବା ଆଶାରେ ଜ୍ୟୋତିଷଙ୍କ ଉପଦେଶ କ୍ରମେ ସେ ଶନିଙ୍କ ପାଖକୁ ଯାଇଥିଲେ। ସେଠାରେ ୧ କୋଟି ଟଙ୍କାର ସୁନା କଳସ ଦାନ କରି ଆସିବା ପରେ ହିଁ ତାଙ୍କର ହତ୍ୟା କରାଗଲା। ଏହା ସଂପୂର୍ଣ୍ଣ ରାଜନୈତିକ ହତ୍ୟାକାଣ୍ଡ। ତେଣୁ ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି ବୋଲି ସେ କହିଛନ୍ତି।

ସେହିଭଳି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଘଟଣାର ୧୦ ଦିନ ବିତି ସାରିଥିଲେ ମଧ୍ୟ ଏଯାଏଁ ହତ୍ୟାର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। କ୍ରାଇମବ୍ରାଞ୍ଚ ଏକ ଭଲ ଷ୍ଟୋରି ତିଆରି କରୁଛି ଓ ଏହାକୁ ଲୋକଙ୍କ ସାମ୍ନାକୁ ଅଣାଯିବ। ପ୍ରକୃତ ହତ୍ୟାକାରୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉଛି। ତେଣୁ ଏହି ହତ୍ଯାକଣ୍ଡର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।

Related Posts