
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଅଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ଗୁରୁବାର ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଅନ୍ୟପଟେ ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଦୌଡରେ ଆଗରେ ଅଛନ୍ତି।ମାତ୍ର ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଆଗ୍ରହୀ ନାହାନ୍ତି। ତେବେ ରାହୁଲ ଗାନ୍ଧୀ ଆଜି ଏନେଇ ନିଜ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଦଳ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରେ ବିଶ୍ୱାସ କରେ। ତେବେ ରାହୁଲଙ୍କ ଏଭଳି ବୟାନ ପରେ ଏବେ ନିଜର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଗେହଲଟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ସବୁଠାରୁ ବଡ଼ କଥା ହେଲା ଅଧ୍ୟକ୍ଷ ହେବା ପୂର୍ବରୁ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ କାହାକୁ ଦେଖିବାକୁ ଚାହୁଁଛନ୍ତି, ତାହା ମଧ୍ୟ ହାଇକମାଣ୍ଡଙ୍କୁ ଜଣାଇଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ବୁଧବାର ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାରରେ ଅଶୋକ ଗେହଲଟ୍ ତାଙ୍କ ପରେ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପରାମର୍ଶ ଦେଇଛନ୍ତି। ଏଭଳି କହି ସେ ଅନେକ ଦିନରୁ ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର ପକାଇ ବସିଥିବା ସଚିନ ପାଇଲଟଙ୍କୁ ଚେକ୍ ଦେବାକୁ ଚାହୁଁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ସହ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଚାହୁଁଥିବା ବେଳେ ରାହୁଲଙ୍କ ସ୍ପଷ୍ଟୀକରଣ ତାଙ୍କ ସ୍ବପ୍ନକୁ ଭାଙ୍ଗିଦେଇଛି। ଏ ନେଇ ସେ ଅଧ୍ୟକ୍ଷ ପଦ ସହ ରାଜସ୍ଥାନରେ ନିଜର ଗୁରୁତ୍ବ ବଜାୟ ରଖିବା ପାଇଁ ନିଜର ଅନୁଗାମୀ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଏଭଳି ହେଲେ ଆଗାମୀ ନିର୍ବାଚନରେ ସେ ତାଙ୍କ ବିଶ୍ୱସ୍ତ ନେତାଙ୍କ ପାଇଁ ଟିକେଟ୍ ବ୍ୟବସ୍ଥା କରିପାରିବେ।