ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରସଙ୍ଗ ନେଇ ଗୃହରେ ଉଦବେଗ । ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ । ଆଜି ବିଧାନସଭା ଆରମ୍ଭରୁ ଏହି ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ଧୋଇଯିବା ପରେ ଶୂନ୍ୟକାଳ ଆରମ୍ଭରୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।ତେବେ ବୈଠକ ପରେ ଶିକ୍ଷକ ଆନ୍ଦୋଳନ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି । ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସିପିଏମ ନେତା ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଆଜି ଗୃହ ଆରମ୍ଭରୁ ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ନେଇ ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ଆରମ୍ଭରୁ ପୋଡିୟମ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଦଳ । ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଦାବି ସମାଧାନ ନହେବା ପର୍ଯ୍ୟନ୍ତ ଗୃହକୁ ଅଚଳ କରାଯିବ ବୋଲି ବିରୋଧୀ ଚେତାବନୀ ଦେଇଥିଲେ ।