ବାହାରରେ ବଜେଟ୍ ଅଧିବେଶନ ପରେ ସାରା ଦେଶ ବୁଲିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଚାଲିଛି । ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ସଫଳତା ମିଳୁଥିବା କଥା କଂଗ୍ରେସ ନେତାମାନେ ଗଣମାଧ୍ୟମରେ କହୁଛନ୍ତି । ଏସବୁ ଭିତରେ ରାହୁଲଙ୍କ ଭାରତ ଯୋଡ ଯାତ୍ରା ଭଳି ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ସାରା ଦେଶ ବୁଲିବେ ବୋଲି ଘୋଷଣା କରିଛନ୍ତି । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ନିଜ ରାଜ୍ୟରେ ‘ସମାଧାନ ଯାତ୍ରା’ ଚଳାଇଛନ୍ତି । ଏହି କ୍ରମରେ ସେ ଆଜି ପଶ୍ଚିମ ଚମ୍ପାରଣରେ ସଭା କରୁଛନ୍ତି । ଏହି ସଭାରେ ନୀତିଶ କୁମାର ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବିହାରର ବଜେଟ ଅଧିବେଶନ ପରେ ସେ ସାରା ଭାରତ ଯାତ୍ରା କରିବାକୁ ବାହାରିବେ । ଏହାର ଅର୍ଥ ହେଉଛି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିରୋଧୀଦଳମାନଙ୍କୁ ଏକାଠି କରିବାକୁ ନୀତିଶ ଯୋଜନା କରିଥିବା ଅନୁମାନ କରାଯାଇଛି । ଏହି ଯାତ୍ରା କ୍ରମରେ ସାରା ଦେଶରେ ଥିବା ବିରୋଧୀଦଳ ନେତାମାନଙ୍କ ସହ ନୀତିଶ କୁମାର ବୈଠକ କରିବେ ।

ନୀତିଶ କୁମାର ଗୁରୁବାର ଦିନ ସମାଧାନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଗଣମାଧ୍ୟମ ସହ ନୀତିଶ କଥା ହୋଇଥିଲେ । ଏହି କ୍ରମରେ ସେ କହିଥିଲେ ଯେ, ଭାରତ ଯାତ୍ରା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଥମେ ରାଜ୍ୟରେ ଚାଲିଥିବା ସମାଧାନ ଯାତ୍ରା ଶେଷ ହେବ ଓ ପରେ ବଜେଟ ଅଧିବେଶନ ସରିବା ପରେ ସେ ଦେଶବ୍ୟାପୀ ଯାତ୍ରା କରିବେ ବୋଲି କହିଛନ୍ତି ।

ନୀତିଶ କୁମାରଙ୍କର ଏଭଳି ଘୋଷଣା ଅନେକ ଦିଗକୁ ସୂଚାଉଛି । କାରଣ କିଛିଦିନ ପୂର୍ବରୁ ନୀତିଶ କୁମାର କହିଥିଲେ ଚଳିତ ବର୍ଷରେ କେନ୍ଦ୍ର ସରକାର ବଦଳାଇବା ପାଇଁ ନିଜେ ପ୍ରୟାସ କରିବେ । ବିହାରରେ ମହାମେଣ୍ଟ ପରେ ସେ ଏହି ଘୋଷଣା ଦର୍ଶାଉଛି କି, ଏବେ କେନ୍ଦ୍ରରେ କ୍ଷମତା ଦଖଲ କରିବାକୁ ନୀତିଶ କୁମାର ସମସ୍ତ ବିରୋଧୀଦଳଙ୍କୁ ଏକାଠି କରିବାକୁ ପ୍ରୟାଶ ଆରମ୍ଭ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ବିହାର ମୁଖ୍ୟମନ୍ତ୍ରୀ ଏବେ ରାଜ୍ୟରେ ‘ସମାଧାନ ଯାତ୍ରା’ ଚଳାଇଛନ୍ତି। ଏହି ଯାତ୍ରା ମାଧ୍ୟମରେ ସେ ସିଧାସଳଖ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ପଚାରି ବୁଝିବା ସହିତ ଏହାର ସମାଧାନ ମଧ୍ୟ କରୁଛନ୍ତି।

Related Posts