ଫାଇନାଲ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦରେ କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼, ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ୧ ଲକ୍ଷ ୩୦ ହଜାର ଦର୍ଶକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ଆଗରେ ଜମିଲାଣି ଭିଡ । କ୍ରିଡା ପ୍ରେମୀଙ୍କୁ ନେଇ ମୁମ୍ବାଇରୁ ଅହମ୍ମଦାବାଦ ଯାଇଛି ବନ୍ଦେ ଭାରତ ସ୍ୱତନ୍ତ୍ର ଟ୍ରେନ୍ । ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଦର୍ଶକମାନେ ଟ୍ରେନରେ ଅହମ୍ମଦାବାଦ ଯାତ୍ରା କରିଛନ୍ତି ।ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା, ଏଥର ବିଶ୍ୱକପ୍ ଜିତିବ ଭାରତ । ପୁଣି ଥରେ ଭାରତ ହେବ ବିଶ୍ୱ ଚାମ୍ପିଅନ୍ । ସେପଟେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ମ୍ୟାଚ୍ ଦେଖିବେ ରେକର୍ଡ ସଂଖ୍ୟକ ଦର୍ଶକ । ୧ ଲକ୍ଷ ୩୦ ହଜାର ଦର୍ଶକ ଏକାଠି ବସି ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ।

ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବେ । ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ସଚିନ୍ ତେନ୍ଦୁଲକର, ଯୁବରାଜ ସିଂହ, ମହେନ୍ଦ୍ର ସିଂ ଧୋନିଙ୍କ ସମେତ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମରେ ଉପସ୍ଥିତ ରହିବେ । ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ଦେଖିବେ ଦର୍ଶକ । ଏହା ସହ ଷ୍ଟାଡିୟମ ନୃତ୍ୟ, ଗୀତ ଦେଖିବାକୁ ମିଳିବ । ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ, ଲୋକପ୍ରିୟ ଗୁଜରାଟୀ ଗାୟକ ଆଦିତ୍ୟ ଗନ୍ଧବୀ ଦର୍ଶକଙ୍କୁ ମନୋରଞ୍ଜନ କରିବେ । ଟସ୍ ପୂର୍ବରୁ ନାଚ, ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ । ୫ ଶହରୁ ଅଧିକ ଡ୍ୟାନ୍ସର ବଲିଉଡ୍ ସଂଗୀତରେ ନୃତ୍ୟ କରିବେ ।

Related Posts