ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ମଚାରୀଙ୍କୁ ବଢୁଛି AI ଭୟ । ମେଟା, ଓରାକଲ୍ ଓ ମାଇକ୍ରୋସଫ୍ଟ ଭଳି ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକରୁ ପ୍ରାୟ ୪୬,୭୫୦ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଏସବୁ ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି କମ୍ପାନୀଗୁଡ଼ିକ ଗୋଟିଏ ପଟେ ଏଆଇ କ୍ଷେତ୍ରରେ ବିଲିୟନ ବିଲିୟନ ଡଲାର ନିବେଶ କରୁଥିବା ବେଳେ ଅନ୍ୟପଟେ ନିଜର ଅଭିଜ୍ଞ କର୍ମଚାରୀଙ୍କୁ ବିଦା କରିବାକୁ ପଛାଉ ନାହାନ୍ତି। ମେଟା ପ୍ରାୟ ୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ସହ ଏଆଇ ପାଇଁ ୧୩୫ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛି, ଯାହା ସିଇଓ ମାର୍କ ଜୁକରବର୍ଗଙ୍କ ସେହି ଚେତାବନୀକୁ ସ୍ପଷ୍ଟ କରୁଛି ଯେ ଆଗାମୀ ଦିନରେ ଏଆଇ କର୍ମଚାରୀଙ୍କ ଆବଶ୍ୟକତାକୁ କମାଇଦେବ। ଅନ୍ୟପଟେ ଓରାକଲ୍ କମ୍ପାନୀରୁ ପ୍ରାୟ ୩୦,୦୦୦ କର୍ମଚାରୀଙ୍କୁ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ରାତିଅଧିଆ ଇମେଲ୍ ଜରିଆରେ ବାହାର କରିଦିଆଯାଇଛି, ଯେଉଁଥିରେ ଭାରତରୁ ପ୍ରାୟ ୧୨,୦୦୦ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ବହୁ ବର୍ଷର ଅଭିଜ୍ଞତା ଥିବା ଇଞ୍ଜିନିୟର ଏବଂ ମ୍ୟାନେଜରମାନେ ମଧ୍ୟ ଏହି ଛଟେଇରୁ ବର୍ତ୍ତି ପାରିନାହାନ୍ତି। ସେହିଭଳି ମାଇକ୍ରୋସଫ୍ଟ ତା”ର ୫୧ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ”ଭଲ୍ୟୁଣ୍ଟାରୀ ବାୟଆଉଟ୍” କିମ୍ବା ସ୍ୱେଚ୍ଛାକୃତ ଅବସର ଯୋଜନା ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଜରିଆରେ କମ୍ପାନୀ ତା”ର ପ୍ରାୟ ୮,୭୫୦ ଅଭିଜ୍ଞ କର୍ମଚାରୀଙ୍କୁ ସମ୍ମାନଜନକ ଭାବେ ବିଦାୟ ଦେବାକୁ ପ୍ରୟାସ କରୁଛି, ଯେଉଁମାନଙ୍କ ବୟସ ଏବଂ କାର୍ଯ୍ୟକାଳ ମିଶି ୭୦ ବର୍ଷ ବା ତା”ରୁ ଅଧିକ ହେଉଛି। ମାଇକ୍ରୋସଫ୍ଟ ମଧ୍ୟ ନିଜର ପୁଞ୍ଜିକୁ କ୍ଲାଉଡ୍ ଇନଫ୍ରାଷ୍ଟ୍ରକଚର ଏବଂ ଜେନେରେଟିଭ୍ ଏଆଇ କ୍ଷେତ୍ରରେ ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛି।
