
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱର ଏମ୍ସକୁ ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ଏମ୍ସରେ ଖୋଲା ଆକାଶ ତଳେ ରାତି କଟାଉଥିବା ଚିକିତ୍ସାଧୀନ ରୋଗୀଙ୍କ ପାଇଁ ଭଲ ଖବର ଆସିଛି। ୨ମାସ ମଧ୍ୟରେ ଏମ୍ସ ପ୍ରାଙ୍ଗଣରେ ଥିବା ଧର୍ମଶାଳାକୁ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ କରି ଦିଆଯିବ। ଏଥିପାଇଁ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ରହିଥିବା କହିଛନ୍ତି ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ। ଧର୍ମଶାଳାର ୨୦୦ରୁ ଅଧିକ କକ୍ଷରେ ରୋଗୀ ଓ ସେମାନଙ୍କ ପରିଜନଙ୍କୁ ମିଶାଇ ମୋଟ ୫୦୦ଜଣ ରହିପାରିବେ। ଶଯ୍ୟା ସହ ଟେବୁଲ ଓ ଗଦି ମଧ୍ୟ ଆସିଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ବର ଏମ୍ସ ଭଳି କେନ୍ଦ୍ରୀୟ ସ୍ବାସ୍ଥ୍ୟାନୁଷ୍ଠାନ ଉପରେ ରାଜ୍ୟ ସମେତ ରାଜ୍ୟ ବାହାରର ବହୁ ରୋଗୀ ନିର୍ଭର କରିଥା’ନ୍ତି। କିନ୍ତୁ ହସ୍ପିଟାଲରେ ଏକ ଧର୍ମଶାଳା ନଥିବାରୁ ଲୋକେ ହଇରାଣ ହେଉଥିଲେ। ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀ ଓ ସେମାନଙ୍କ ଅଭିଭାବକ ଘରୋଇ ଧର୍ମଶାଳାର ଖର୍ଚ୍ଚ ବହନ କରି ନପାରି ଖୋଲା ଆକାଶ ତଳେ ଚାଦର ପକାଇ ଶୋଇ ପଡ଼ୁଥିଲେ। ଜଟିଳ କର୍କଟ ରୋଗରେ ପୀଡ଼ିତ ତଥା ଡାଏଲିସିସ୍ ଆବଶ୍ୟକ କରୁଥିବା କିଡ୍ନି ରୋଗୀମାନେ ବି ଖରା, ବର୍ଷା, ଶୀତ ବର୍ଷତମାମ ଏମିତି ଖୋଲା ଆକାଶ ତଳେ ଦୁର୍ଦ୍ଦଶା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ୨୦୨୦ ମସିହାରେ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର୍ ଗୀତାଞ୍ଜଳି ବି.ଙ୍କ କାର୍ଯ୍ୟକାଳ ସମୟରେ ୨୭କୋଟି ଟଙ୍କାରେ ଏକ ଧର୍ମଶାଳାର ନିର୍ମାଣ ଆରମ୍ଭ ହେଲା। ନାଲ୍କୋର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରେ ଏହାର ନିର୍ମାଣ କରାଗଲା। କାର୍ଯ୍ୟ ଆରମ୍ଭ ନ ହେଉଣୁ କୋଭିଡ୍ ଏବଂ ଦୁଇଥର ଲକଡାଉନ୍ ଯୋଗୁଁ ନିର୍ମାଣ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା। ତେବେ ବହୁ ବାଧାବିଘ୍ନ ପରେ ଏହାର ନିର୍ମାଣ ସରିଛି ଓ ଖୁବ୍ଶୀଘ୍ର ଏହା ଲୋକାର୍ପଣ ହେବ ବୋଲି କୁହାଯାଇଛି। ଅନ୍ୟ ଧର୍ମଶାଳା ଭଳି ଏମ୍ସ ଧର୍ମଶାଳା ଲାଭ ଉଦ୍ଦେଶ୍ୟରେ ପରିଚାଳିତ ହେବ ନାହିଁ। ସର୍ବନିମ୍ନ ଖର୍ଚ ତୁଲାଇବା ପାଇଁ ନାମମାତ୍ର ଦେୟ ବ୍ୟବସ୍ଥା ରହିବ। ସବୁ ପ୍ରକାର ରୋଗୀ ମଧ୍ୟ ଏଠାରେ ରହିବେ ନାହିଁ। କେଉଁ ପ୍ରକାର ରୋଗୀ ରହିବେ, ସେଥିପାଇଁ ମଧ୍ୟ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି। ଦୁଇ ମାସ ମଧ୍ୟରେ ଏହା ସମାପ୍ତ ହୋଇଯିବ ବୋଲି ଡା. ବିଶ୍ବାସ କହିଛନ୍ତି।