ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବିମାନ ଭଡ଼ା ଆକାଶ ଛୁଆଁ, ଘୋଷଣା ହେଲା ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ଅହମଦାବାଦରେ ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ତେବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଅହମ୍ମଦାବାଦରେ ହେବାକୁ ଥିବା ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚର ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା କରିଛି ।

ଏହି ସ୍ୱତନ୍ତ୍ର ଟ୍ରେନ୍ ସେବା ଦିଲ୍ଲୀ ଓ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ । ଟ୍ରେନ୍ ଗୁଡିକ ଆଜି ସନ୍ଧ୍ୟାରେ ବାହାରିବ । ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ । ଦିଲ୍ଲୀରୁ ଗୋଟିଏ ଟ୍ରେନ ଓ ମୁମ୍ବାଇରୁ ତିନୋଟି ଟ୍ରେନ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବେ ।

ତେବେ ରେଳ ବିଭାଗ ପକ୍ଷରୁ କୁହା ଯାଇଛି, ଟିକେଟର ଦାମ ଅପେକ୍ଷାକୃତ କମ ରହିବ । ବିମାନ ଭଡ଼ାରେ ଅହେତୁକ ମାତ୍ରରେ ବୃଦ୍ଧି ହେତୁ ରେଳ ବିଭାଗ ଟିକେଟର ଦାମ କମ ରଖିବାକୁ ନିଷ୍ପତ୍ତି ନେଇଛି । ସେହିପରି ଟ୍ରେନରେ ସଂରକ୍ଷିତ ସ୍ଥାନ ପୂରଣ ହୋଇ ସାରିଥିବାରୁ ମଧ୍ୟ ଟିକେଟର ଦାମ କମ ରହିଛି । ଅନ୍ୟପଟେ ଦେଖିବାକୁ ଗଲେ, ବିମାନ ଟିକେଟ ୨୦,୦୦୦ ରୁ ୪୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ତେବେ ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀମାନେ ୬୨୦ ଟଙ୍କାରେ ସ୍ଲିପର ଶ୍ରେଣୀର ଟିକେଟ୍ ପାଇ ପାରିବେ । ସେହିପରି ୧,୫୨୫ ଟଙ୍କାରେ ତୃତୀୟ ଶ୍ରେଣୀ ଏସି, ୧,୬୬୫ଟଙ୍କାରେ ଷ୍ଟାଣ୍ଡାର୍ଡ 3AC ସିଟ୍ ଓ ୩,୪୯୦ ଟଙ୍କାରେ ପ୍ରଥମ ଶ୍ରେଣୀ ଏସିରେ ଯାତ୍ରା କରିପାରିବେ ।

ମ୍ୟାଚ୍ ଶେଷ ହେବା ପରେ ଅହମ୍ମଦାବାଦରୁ ରାତି ୨.୩୦ ସୁଦ୍ଧା ଟ୍ରେନ ଛାଡ଼ିବାର କାର୍ଯ୍ୟକତ୍ରମ ରହିଛି । ତେବେ ଏହି ସ୍ୱତନ୍ତ୍ର ଟ୍ରେନ୍ ସେବା ପାଇଁ ଟିକେଟ୍ ବୁକ୍ କରିବାକୁ ଚାହୁଁଥିବା ଯାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଟିକେଟ ବୁକ କରିପାରିବେ ।

Related Posts