ଅହମଦାବାଦ ଷ୍ଟାଡିୟମରେ ବିଶ୍ବକପ ଫାଇନାଲ ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ଅହମଦାବାଦରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ର ଫାଇନାଲ୍‌ ମ୍ୟାଚ ଖେଳାଯିବ। ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ ଯିବେ ବୋଲି ଜଣାପଡ଼ିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଶ୍ଚିତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଅହମଦାବାଦର ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ’ରେ ବିଶ୍ୱକପ ଫାଇନାଲ ମ୍ୟାଚ୍ ଦେଖିବେ।

ଗୁଜରାଟର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ଉପମୁଖ୍ୟମନ୍ତ୍ରୀ ରିଚାର୍ଡ ମାର୍ଲସ୍ ଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବା ସହିତ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମକୁ ଆସିବେ ବୋଲି ଆଶା କରାଯାଉଛି।

ତେବେ ବିମାନ ଟିକେଟର ଦାମ ଅଧିକ ଥିବାରୁ ବିଶ୍ବକପ ପାଇଁ ସ୍ବତନ୍ତ୍ର ରେଳ ସେବା ଆରମ୍ଭ କରାଯାଇଛି। ସ୍ବତନ୍ତ୍ର ରେଳ ଆଜି ଦିଲ୍ଲୀରୁ ମୁମ୍ବାଇ ଓ ସେଠାରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଶନିବାର ସନ୍ଧ୍ୟା ବେଳେ ଉକ୍ତ ଟ୍ରେନ୍‌ ଯାତ୍ରା ଆରମ୍ଭ କରି ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ। ଗୋଟିଏ ଟ୍ରେନ୍‌ ଦିଲ୍ଲୀରୁ ଛାଡ଼ିବାକୁ ଥିବା ବ‌େଳେ ବାକି ୩ଟି ଟ୍ରେନ୍‌ ମୁମ୍ବାଇରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବ। ମ୍ୟାଚ୍‌ ଶେଷ ହେବା ପରେ ରାତି ପ୍ରାୟ ୨.୩୦ରେ ଏହି ସ୍ବତନ୍ତ୍ର ରେଳ ସବୁ ଅହମଦାବାଦ୍‌ରୁ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ।

ବର୍ଦ୍ଧିତ ବିମାନ ଟିକେଟ୍‌ ମୂଲ୍ୟଠାରୁ ସ୍ବତନ୍ତ୍ର ରେଳର ଟିକେଟ୍‌ ମୂଲ୍ୟ ଯେମିତି ଶସ୍ତା ହୁଏ, ସେଥିପ୍ରତି ଭାରତୀୟ ରେଳବାଇ ବିଶେଷ ଧ୍ୟାନ ଦେଇଛି। ନିୟମିତ ଟ୍ରେନ୍‌ର ସବୁ ସିଟ୍‌ ରିଜର୍ଭ ହୋଇସାରିଥିବା ବେଳେ ବିମାନ ଯାତ୍ରା ଲାଗି ଟିକେଟ୍‌ର ମୂଲ୍ୟ ଆକସ୍ମିକ ଭାବେ ବୃଦ୍ଧି ପାଇ ୨୦, ୦୦୦ ଟଙ୍କାରୁ ୪୦,୦୦୦ ଟଙ୍କା ହୋଇଯାଇଛି। କ୍ରିକେଟ୍‌ପ୍ରେମୀଙ୍କ ଚାହିଦା ପ୍ରତି ଧ୍ୟାନ ଦେଇ ରେଳବାଇ ସ୍ବତନ୍ତ୍ର ରେଳ ଚଳାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି।

ଆଗ୍ରହୀ ଯାତ୍ରୀମାନେ ୬୨୦ ଟଙ୍କାରେ ‘ସ୍ଲିପର୍‌ କ୍ଲାସ୍‌’, ୧,୫୨୫ ଟଙ୍କାରେ ‘୩ଏସି ଇକୋନମି ବର୍ଥ’, ୧,୬୬୫ ଟଙ୍କାରେ ‘ଷ୍ଟାଣ୍ଡାର୍ଡ ୩ଏସି’ ସିଟ୍‌, ଓ ୩,୪୯୦ ଟଙ୍କାରେ ‘ଫାଷ୍ଟ୍‌-କ୍ଲାସ୍‌ ଏସି ଆକୋମୋଡେସନ୍‌’ ଟିକେଟ୍‌ ପାଇପାରିବେ।

Related Posts