ଚାହିଦା ନଥିବା କାରଣରୁ ହ୍ରାସ ପାଇଲା ଭାରତ-ଶ୍ରୀଲଙ୍କା ମଧ୍ୟରେ ଏୟାର ଇଣ୍ଡିଆର ବିମାନ ଉଡାଣ ସେବା

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ନା ଖାଇବାକୁ ମିଳୁଛି ନା ପିଇବା ପାଇଁ । ଦେଶରେ ଅର୍ଥନୈତିକ ବ୍ୟବସ୍ଥା ଯେପରି ଭୁଷୁଡି ପଡ଼ିଛି । ତେବେ ଏହାରି ମଧ୍ୟରେ ଏୟାର ଇଣ୍ଡିଆ ବିମାନ ସେବା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଚାହିଦା ନଥିବା କାରଣରୁ ଭାରତ-ଶ୍ରୀଲଙ୍କା ସେବାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛି । ପ୍ରତି ସପ୍ତାହରେ ୧୬ଟି ବିମାନକୁ ହ୍ରାସ କରି ଏପ୍ରିଲ ୯ରୁ ସପ୍ତାହକୁ ୧୩ଟି ବିମାନକୁ ଉଡ଼ାଣ କରିବ।

ଶ୍ରୀଲଙ୍କା ବର୍ତ୍ତମାନ ଇତିହାସରେ ଏହାର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛି। ଇନ୍ଧନ, ରୋଷେଇ ଗ୍ୟାସ, ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲମ୍ବା ଲାଇନ ସହିତ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତକାଟ ପାଇଁ ଜନସାଧାରଣ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି।

ଏ ପରିସ୍ଥିତିରେ ଏୟାର ଇଣ୍ଡିଆ (ଏଆଇ)ର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି, ଶ୍ରୀଲଙ୍କାକୁ ବର୍ତ୍ତମାନ ଏଆଇ ସପ୍ତାହରେ ୧୬ ଟି ବିମାନ ଚଳାଚଳ କରୁଛି। ଦିଲ୍ଲୀରୁ ଦୈନିକ ବିମାନ ଏବଂ ଚେନ୍ନାଇରୁ ସପ୍ତାହରେ ନଅଟି ବିମାନ ଶ୍ରୀଲଙ୍କାକୁ ଉଡାଣ ଭରୁଛି। ନୂତନ କାର୍ଯ୍ୟସୂଚୀରେ, ଏଆଇ ପ୍ରତି ସପ୍ତାହରେ ମୋଟ ୧୩ ଟି ବିମାନ ଚଳାଚଳ କରିବ ବୋଲି ମୁଖପାତ୍ର ଉଲ୍ଲେଖ କରିଛନ୍ତି।

ନୂତନ କାର୍ଯ୍ୟସୂଚୀରେ ଚେନ୍ନାଇରୁ ଫ୍ରିକ୍ୱେନ୍‌ସି ଅପରିବର୍ତ୍ତିତ ରହିବ, ଦିଲ୍ଲୀରୁ ବିମାନ ଚଳାଚଳ ସପ୍ତାହକୁ ସାତରୁ ଚାରିକୁ ହ୍ରାସ ପାଇବ ବୋଲି ମୁଖପାତ୍ର କହିଛନ୍ତି। ମୁଖପାତ୍ର ଉଲ୍ଲେଖ କରିଛନ୍ତି, ଖରାପ ଚାହିଦା ହେତୁ ଏପ୍ରିଲ ୯ରୁ ସାତଟି ପ୍ରଭାବଶାଳୀ ପରିବର୍ତ୍ତେ ଦିଲ୍ଲୀରୁ ଚାରିଟି ବିମାନ ଶ୍ରୀଲଙ୍କାକୁ ଉଡ଼ାଣ ଭରିବ।

ଦିଲ୍ଲୀ-କଲମ୍ବୋ ସେକ୍ଟରରେ ଏଆଇ ୨୮୩ ବର୍ତ୍ତମାନ ଏପ୍ରିଲ ୮ରୁ ମେ ୩୦ ପର୍ଯ୍ୟନ୍ତ ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର ଉଡ଼ାଣ ଭରିବ। କଲମ୍ବୋ- ଦିଲ୍ଲୀ ସେକ୍ଟରରେ ଏଆଇ ୨୮୪ ଏପ୍ରିଲ ୯ରୁ ମେ ୩୧ ପର୍ଯ୍ୟନ୍ତ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଉଡ଼ାଣ ଭରିବ।

ଉଲ୍ଲେଖଯୋଗ୍ୟ, ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କର ସବୁଠାରୁ ଭୟଙ୍କର ଅର୍ଥନୈତିକ ସଙ୍କଟକୁ ନେଇ ଏକ ଯୋଜନାବଦ୍ଧ ସରକାର ବିରୋଧୀ ରାଲି ପୂର୍ବରୁ ଦେଶବ୍ୟାପୀ ସାର୍ବଜନୀନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯିବା ସହ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରିବା ପରେ ଶ୍ରୀଲଙ୍କା ସରକାର ରବିବାର ଦିନ ହ୍ଵାଟସଆପ୍‌, ଟ୍ଵିଟର, ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ଲକ୍‌ କରି ଦେଇଛନ୍ତି ।

Related Posts